• ପିଲାଙ୍କ କୌତୁହଳ, ସୃଜନଶୀଳତା ଏବଂ ଆତ୍ମବିଶ୍ୱାସକୁ ବଢାଇବା ହିଁ ପ୍ରାରମ୍ଭିକ ଶିକ୍ଷାର ଲକ୍ଷ୍ୟ
ବ୍ରହ୍ମପୁର,୧୪/୧୧(ଅଭିଜିତ କର): ବିର୍ଲା ଓପନ୍ ମାଇଣ୍ଡସ୍ ପ୍ରି-ସ୍କୁଲ ଏବେ ବ୍ରହ୍ମପୁର ସହରର ପ୍ରେମ ନଗର ଅଞ୍ଚଳରେ ସ୍ଥାପିତ ହୋଇଛି। ସ୍ଥାନୀୟ ପ୍ରେମ ନଗର ୬ଷ୍ଠ ଲେନ୍ ଠାରେ ଶିଶୁ ଦିବସ ଅବସରରେ ଏହାର ନୂତନ କେନ୍ଦ୍ରର ଭବ୍ୟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଏଚ୍ ରାଜେନ୍ଦ୍ର କୁମାର ପାତ୍ର ଏବଂ ଏ. ବିଭୂତି ଭୂଷଣ ସୁବୁଧି ଯୋଗଦେଇ ସ୍କୁଲକୁ ଉଦଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପରମଜୀତ୍ କୌର (ଇଷ୍ଟ କ୍ଲଷ୍ଟର ମ୍ୟାନେଜର), ଅନୁଭବ ଦାସ (ଫ୍ରାଞ୍ଚାଇଜ୍ ରିଲେସନ୍ ମ୍ୟାନେଜର) ଏବଂ ସୋନାଲୀ ସରକାର (ଇଷ୍ଟ ଏକାଡେମିକ୍ ମ୍ୟାନେଜର) ଉପସ୍ଥିତ ଥିଲେ।

ସ୍କୁଲର ନିର୍ଦ୍ଦେଶକ ସାଇ ରାଜ୍ ପାତ୍ର, ସମ୍ପାଦକ ରାଜେନ୍ଦ୍ର କୁମାର ପାତ୍ର ଏବଂ କୋଷାଧ୍ୟକ୍ଷ ମଞ୍ଜୁ ପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଅନ୍ୟତମ ଅତିଥି ରୂପେ ରାମକୃଷ୍ଣ ସୁବୁଧି, ସିଏଚ୍ ମହେଶ୍ୱର ପାତ୍ର ଏବଂ ସିଏଚ୍ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନେ କହିଥିଲେ ଯେ, ପ୍ରତ୍ୟେକ ଶିଶୁ ସ୍ୱତନ୍ତ୍ର ଅଟନ୍ତି। ସେମାନଙ୍କ ଭିତରେ ଥିବା କୌତୁହଳ, ସୃଜନଶୀଳତା ଏବଂ ଆତ୍ମବିଶ୍ୱାସକୁ ବଢାଇବା ହିଁ ପ୍ରାରମ୍ଭିକ ଶିକ୍ଷାର ଲକ୍ଷ୍ୟ। ବିର୍ଲା ଓପନ୍ ମାଇଣ୍ଡସ୍ ଭଳି ଏକ ଜାତୀୟ ସ୍ତରର ଅନୁଷ୍ଠାନ ବ୍ରହ୍ମପୁରରେ ଖୋଲିବା ଦ୍ଵାରା ଏ ଅଞ୍ଚଳର ପିଲାମାନେ ଏବେ ଆଧୁନିକ ଓ ଆନନ୍ଦଦାୟକ ଶିକ୍ଷା ପାଇ ପାରିବେ ବୋଲି ଉଚ୍ଚ କତୃପକ୍ଷ ମାନେ ମତ ପ୍ରକାଶ କରିଥିଲେ।

ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏଠାରେ ଖେଳ ମାଧ୍ୟମରେ ଶିକ୍ଷା, ଆକ୍ଟିଭିଟି ବେସ୍ଡ ଲର୍ଣ୍ଣିଂ, ଏକ୍ସପେରିଏନ୍ସିଆଲ୍ ଲର୍ଣ୍ଣିଂ ଏବଂ STEAM ଯଥା ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, କଳା ଓ ଗଣିତ ଶିକ୍ଷା ଦିଆଯିବ। ପ୍ରତି ୧୨ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିବେ। ପିଲାଙ୍କ ସୁରକ୍ଷା, ସର୍ବାଙ୍ଗୀନ ବିକାଶ ଏବଂ ସ୍କୁଲ-ଅଭିଭାବକ ସମ୍ପର୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସ୍କୁଲର ନିର୍ଦ୍ଦେଶକ ସାଇ ରାଜ୍ ପାତ୍ର କହିଛନ୍ତି ।

ଏହି ଅବସରରେ ସ୍କୁଲର ଶିକ୍ଷୟିତ୍ରୀ ଲତାଶା, ନେହା ଏବଂ ତନ୍ୱୀ ପିଲା ମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ, ଏହି ଉତ୍ସବରେ ସହରର ବହୁ ଅଭିଭାବକ, ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବନ୍ଧୁ ବାନ୍ଧବ ମାନେ ଯୋଗଦାନ କରି କତୃପକ୍ଷ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ।
