ବ୍ରହ୍ମପୁର,୧୮/୧୧(ମନ୍ଥନ): ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ସାମୁଦ୍ରିକ ଝଡ଼ ପ୍ରଭାବରେ ବନ୍ୟା ଜଳ ଜନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୋଇଥିଲା । ଯାହାକୁ ନେଇ ବେଲୁର ମଠ ପ୍ରଦତ ରାମକୃଷ୍ଣ ମିଶନ ଭୂବନେଶ୍ଵର ଦ୍ୱାରା ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର, ପୁରୁଣା ବ୍ରହ୍ମପୁର ବ୍ରହ୍ମପୁର ଏବଂ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସନ୍ତୋଷପୁରର ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବନ୍ୟା ବିପନ୍ନ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଏହି ଅବସରରେ ଗଞ୍ଜାମ ବ୍ଲକର ବରପଲ୍ଲୀ ୨୮୦ ଘର, ଖଟିଆ ରାମଚନ୍ଦ୍ରପୁରର ୬୫ ଘର ଓ ହରିଜନ ସାହିରେ ୮୦ ଘର, ଖଲ୍ଲିକୋଟ ବ୍ଲକର ତଳ ରାମପଲ୍ଲୀରେ ୨୦୦ ଘର, ପୁରୁଷୋତ୍ତମପୁର ବ୍ଲକ ବାଲିଆରେ ୫୧ ଘର ଓ ଆସିକାର ନବରତ୍ନପୁର ଗ୍ରାମରେ ୨୭୦ ଘର ବିପନ୍ନଙ୍କୁ କମଳ, ଲୁଙ୍ଗି, ଗାମୁଛା, ଶାଢ଼ୀ, ଟବାଲ, ବିସ୍କୁଟ ଇତ୍ୟାଦି ରିଲିଫ ପ୍ୟାକେଟ ପ୍ରଦାନ କରାଯାଇଥିଲା । ରାମକୃଷ୍ଣ ମିଶନର ସନ୍ୟାସୀ ଶ୍ରୀମଦ ସ୍ୱାମୀ ଅଦ୍ୟତାନନ୍ଦ ଜି ମହାରାଜଙ୍କ ତତ୍ୱାବଧାନରେ ରିଲିଫ ପ୍ରଦାନ କରାଯାଇ ଥିବା ବେଳେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଗାଁ ପ୍ରତ୍ୟକ୍ଷ ପରିଦର୍ଶନ ସହିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ମିହିର ରଞ୍ଜନ ତ୍ରିପାଠୀ ସ୍ଥାନୀୟ ବନ୍ୟା ପରିସ୍ଥିତିକୁ ମଠାଧୀଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବଂ କିଛି ଅଞ୍ଚଳ ଗୁଡିକରେ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ତ୍ରିପାଠୀ ସ୍ଥାନୀୟ ଅଞ୍ଚଳର ବନ୍ୟା ପରିସ୍ଥିତିକୁ ମଠାଧୀଶଙ୍କ ଦୁଷ୍ଟି ଆକର୍ଷଣ କରାଇ ଥିଲେ । ଉକ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ପରମେଶ୍ଵର ଧଳ, କପିଳ ଆଚାରୀ, ଦେବାଶିଷ ଦାଶ, ଶିବରାମ ନନ୍ଦ, ସୁଶାନ୍ତ କୁମାର ନାୟକ, ଜ୍ୟୋତି ରଞ୍ଜନ ଦଲ ସିଂହାରୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ (ଅଭିଜିତ କର, ଜିଲ୍ଲା ପ୍ରତିନିଧି)।
