• ଶ୍ରେଷ୍ଟ ବ୍ରହ୍ମପୁର ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ସଭାରେ ସବ୍ୟସାଚୀ ମୁଖ୍ୟ ଆକର୍ଷଣ
• ଆସନ୍ତା କାଲି “ମେଗା ରକ୍ତଦାନ ଶିବିର”, ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ – ସନ୍ତୁ ଆନ୍ନା
ବ୍ରହ୍ମପୁର,୨୦/୯(ଅଭିଜିତ କର): ଉତ୍ସବ ମୁଖର ହୋଇ ଉଠିଥିବା ବ୍ରହ୍ମପୁର ସହରର ଭକ୍ତିମୟ ପରିବେଶକୁ ବହୁ ଗୁଣା ବଢ଼ାଇ ଦେଇଛି ଅଶୋକ ନଗର ଯୁବକ ସଂଘର ୩୨ ଫୁଟ ଉଚ୍ଚତା ବିଶିଷ୍ଟ ଲାଲ୍ ବାଗ୍ୟଚା ଜି ରାଜା ଜି ଶ୍ରୀ ଗଣେଶଙ୍କ ପୂଜା ମହୋତ୍ସବ। ସଂଘର ମୁଖ୍ୟ ପରିଚାଳକ ତଥା ଆବାହକ ଏ ସନ୍ତୋଷ ପାତ୍ରଙ୍କ ପ୍ରଚେଷ୍ଟା ଓ ସଂଘ ସଦସ୍ୟ ମାନଙ୍କ ଅକ୍ଲାନ୍ତ ପ୍ରୟାସ ଦ୍ଵାରା ଅନୁଷ୍ଠିତ ହେଉଥିବା ଏହି ପୂଜା ମହୋତ୍ସବ ଆଜି କେବଳ ଯେ, ଏକ ପୂଜା ପାଳନରେ ସୀମିତ ରହି ନାହିଁ । ଏହା ଆଜି ସମଗ୍ର ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଦର୍ଶକ ତଥା ଭକ୍ତ ମାନଙ୍କ ହୃଦୟରେ ଏକ ପ୍ରକାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ବହୁ ପର୍ଯ୍ୟଟକଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଗତ ୧୪ ତାରିଖ ଅର୍ଥାତ୍ ପବିତ୍ର ଶ୍ରୀ ଗଣେଶଙ୍କ ଠାକୁରଙ୍କ ଚତୁର୍ଥୀ ତିଥି ଉପଲକ୍ଷେ ଶୁଭାରମ୍ଭ ହୋଇଥିବା ଏହି ପୂଜା ଆଜି ଅଷ୍ଟମ ଦିନରେ ପଦାର୍ପଣ କରି ସାରିଛି। ତେବେ ସଂଘ ପକ୍ଷରୁ ଚଳିତ ପୂଜା ମହୋତ୍ସବକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ବେଳେ, ଏକ ଅନନ୍ୟ ବିଶେଷତ୍ଵ ଢଙ୍ଗରେ ପାଳନ କରିବା ଲକ୍ଷ୍ୟ ନେଇ ପାଳିତ ହେଉଥିବା ଏହି ଉତ୍ସବର ପ୍ରତ୍ୟେକ ଦିନ ଭବ୍ୟ ରୂପେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଉଥିବା ସହ ସନ୍ଧ୍ୟାରେ ଆଳତୀ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେଥି ମଧ୍ୟରୁ ଦୈନନ୍ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅବସରରେ ପ୍ରତିଷ୍ଠିତ ଜଜ୍ ମାନଙ୍କ ବିଚାର ଦ୍ୱାରା କୁନି କୁନି ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ପରିଶେଷରେ ଉକ୍ତ ସନ୍ଧ୍ୟାର ଅତିଥି ମାନଙ୍କ ଦ୍ଵାରା କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି ବୋଲି ଶ୍ରୀ ସନ୍ତୋଷ ପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷର ପୂଜାକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଆସନ୍ତା କାଲି ଅର୍ଥାତ ଅନୁଷ୍ଠିତ ହେବାକୁଥିବା ମେଗା ରକ୍ତଦାନ ଶିବିର ଆୟୋଜନ ନେଇ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ, ଏତେ ବଡ଼ ଆୟୋଜନକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ସ୍ଥାନୀୟ ଥାନା ଅଧିକାରୀ ଓ ତାଙ୍କ ଦଳ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଶ୍ରୀ ପାତ୍ର ସମସ୍ତ ଆୟୋଜନକୁ ସମ୍ପୂର୍ଣ୍ଣ ରୂପେ ପରିଦର୍ଶନ କରାଇବା ସହ ସମସ୍ତଙ୍କ ସୁରକ୍ଷା ପାଇଁ ସହଯୋଗର କାମନା କରିଥିଲେ।

ତେବେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦାନ କରି ସଂଘ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୂରି ଭୂରି ପ୍ରଶଂସା କରିବା ସହ ରକ୍ତଦାନ ଭଳି ମହାନ କାର୍ଯ୍ୟ ତଥା ଜନହିତକର କାର୍ଯ୍ୟ ଆୟୋଜନ ପାଇଁ ସମସ୍ତଙ୍କୁ ଅଗ୍ରାହ୍ୟ କରିବା ସହ ଯୁବ ଗୋଷ୍ଟିଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରୂପେ ଓଡ଼ିଆ ସିନେମା ଜଗତରେ ଚର୍ଚ୍ଚିତ ଅଭିନେତା ସବ୍ୟସାଚୀ ମିଶ୍ର ଯୋଗଦେଇ ଥିଲେ । ଏହି ଅବସରରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ଏକ ମନୋରଞ୍ଜନ ନୃତ୍ୟ ସଙ୍ଗୀତ ପରିବେଷଣ କୁନି କଳାକାର ତାନଭିଙ୍କ ନେତୃତ୍ୱରେ ପରିବେଷିତ ହୋଇଥିଲା। ଏନେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀ, ଶ୍ରେଷ୍ଠ ବ୍ରହ୍ମପୁର ପ୍ରତିଭାଧାରୀ, ସାମ୍ବାଦିକ ପ୍ରତିନିଧି ଗଣ, ଏବଂ ବହୁ ୟୁଟ୍ୟୁବର ତଥା ଇନଫ୍ଲୁନ୍ସର୍ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏନେଇ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଯୁବ ସମାଜସେବୀ ଶ୍ରୀ ପାତ୍ରଙ୍କ ପ୍ରୟାସକୁ ବହୁ ପ୍ରଶଂସା କରିବା ସହ ସଂଘର ସମସ୍ତ ସଦସ୍ୟ ଓ ସ୍ୱେଚ୍ଛାସେବୀ ସଦସ୍ୟ ମାନଙ୍କ ସାଧୁବାଦ ପ୍ରଦାନ କରିଥିଲେ ।

ଶ୍ରୀ ପାତ୍ରଙ୍କ ସ୍ୱତନ୍ତ୍ର ଅନୁରୋଧ କ୍ରମେ ତଥା ସୂଚନା ଅନୁସାରେ ଆସନ୍ତା କାଲି ଅନୁଷ୍ଠିତ ମେଗା ବ୍ଲଡ ଡୋନେଟ୍ କ୍ୟାମ୍ପ ଯାହା ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଯେଉଁ ରକ୍ତଦାତା ମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଇଚ୍ଛୁକ ସେମାନେ ଯୋଗଦାନ କରି ରକ୍ତଦାନ କରି ପାରିବେ ବୋଲି ଶ୍ରୀ ପାତ୍ର ଆହ୍ବାନ କରିଛନ୍ତି ।
