• ଅନ୍ତେବାସୀଙ୍କ ମନୋରଞ୍ଜନ ସହ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ
ବ୍ରହ୍ମପୁର,୧୪/୧୦(ଅଭିଜିତ୍ କର): ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାମଚନ୍ଦ୍ରପୁରୁ ସ୍ଥିତ ବିଶ୍ୱ ନିକେତନ ଜରା ନିବାସରେ ଗତ ବୁଧବାର ବ୍ରହ୍ମା ନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏକ ଚାଳିଶି ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଏନେଇ ମଞ୍ଚ ସଭାପତି ହୀନ ବେହେରାଙ୍କ ନେତୃତ୍ବରେ ଜରା ନିବାସ ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ସୁଶାନ୍ତ ସାବତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ସାବତ ପ୍ରାରମ୍ଭିକ ସୂଚନା ଦେଇ ଜରା ନିବାସ ସମ୍ବନ୍ଧୀୟ ବହୁ ଉପଲବ୍ଧିତା ପୂର୍ଣ୍ଣ ତଥ୍ୟ ଓ ଆଗାମୀ ଯୋଜନାର ରୂପରେଖ ଉପରେ ଆଲୋକପାତ କରିଥିଲେ । ଏହା ପରେ ମଞ୍ଚ ସଭାପତି ଶ୍ରୀ ବେହେରା ଏହାର ଭୂୟସୀ ପ୍ରଶଂସା କରିବା ସହ ପୂର୍ବରୁ ମଞ୍ଚକୁ ମହାନ ସଂଘ ତରଫରୁ ପ୍ରଦାନ କରାଯାଇଥିବା ଟ୍ରଫି ପାଇଁ ଶ୍ରୀଯୁକ୍ତ ସାବତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତେବାସୀଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ କଟାଇବା ପରେ ସେମାନଙ୍କ ସହ ସାମୁହିକ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

ପରେ ସେମାନଙ୍କ ମନୋରଞ୍ଜନ ପାଇଁ ସମ୍ପାଦକ ସୁରେନ୍ଦ୍ର ପାଢିଙ୍କ ସ୍ୱ-ଲିଖିତ ଏକ ମନୋରଞ୍ଜନ ଧର୍ମୀ କ୍ଷୁଦ୍ର ଆଧ୍ୟାତ୍ମିକ ନାଟକ “ଏକା ତୋ ଭକତ ଜୀବନ” ପରିବେଷଣ କରାଯାଇଥିଲା । ସେହିପରି କୁନି କଳାକାର ଲିଭାଂସୀ ପଟ୍ଟନାୟକଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଓ ଜଗନ୍ନାଥ ସ୍ତ୍ରୋତ ପାଠ ତଥା ସୁଶ୍ରୀ ସ୍ବାଧିନା ପାତ୍ରଙ୍କ ମନ ଛୁଆଁ ଭଜନ ପରିବେଷଣ ସମସ୍ତଙ୍କୁ ବେଶ୍ ଆନନ୍ଦିତ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ପାଢି ଭାସ୍କର ଦୋରା, ଉମା ଶଙ୍କର ପାଣି, ମହେଶ୍ୱର ପ୍ରଧାନ, ଜୟଦେବ ସାହୁ, ସ୍ନେହ ଲତା ପଟ୍ଟନାୟକ, ଭବାନୀ ପ୍ରମୁଖ ଅଂଶ ଗ୍ରହଣ କରିଥିବା ନେଇ ସଭାପତି ଶ୍ରୀ ସାବତଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମାଁ ଭୈରବୀ ଏବଂ ପଞ୍ଚମା ଶ୍ରୀ ଗଣେଶଙ୍କ ଦର୍ଶନ କରିବା ସହ ମଧ୍ୟାହ୍ନ ସମୟରେ ଗୋପାଳପୁର ବେଳାଭୂମି ଅଭିମୁଖେ ଯାତ୍ରା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ମଞ୍ଚ କୋଷାଧ୍ୟକ୍ଷ ନରୋତ୍ତମ ଦାଶ୍, ସୁକାନ୍ତ କୁମାର ପଟ୍ଟନାୟକ, ସୁରେନ୍ଦ୍ର ପାଢିଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଉକ୍ତ ସଭା କାର୍ଯ୍ୟକୁ ଉମା ଶଙ୍କର ପାଣି ମଞ୍ଚ ପରିଚାଳନା କରିଥିବା ବେଳେ, ବୈଠକ ଶେଷରେ ଜମ୍ବୁବତି ଗୌଡ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଅତି ସୁନ୍ଦର ଭାବେ ଧନ୍ୟବାଦ୍ ପ୍ରଦାନ କରିଥିଲେ।
