- ୫୦ରୁ ଉର୍ଦ୍ଧ୍ବ ରକମର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଦ୍ୟ ପ୍ରେମୀଙ୍କୁ ଆକର୍ଷଣ କରିବ
ବ୍ରହ୍ମପୁର,୯/୧୦(ଅଭିଜିତ କର): ସ୍ଥାନୀୟ ଅନ୍ନପୂର୍ଣ୍ଣା ମାର୍କେଟ୍ ଛକ ନିକଟ ଭଲିବଲ୍ ଖେଳ ପଡ଼ିଆ ପାର୍ଶ୍ୱରେ ‘DELHI6’ ନାମକ ଏକ ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଇ. ବିବେକ ରେଡ୍ଡୀ ଯୋଗଦେଇ ରିବନ୍ କାଟି ଏହି ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ସ୍ୱତନ୍ତ୍ର ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଓ ଦେବହରି ବେହେରାଙ୍କ ସମେତ ମୁଖ୍ୟ ପରିଚାଳିକାଙ୍କ ଶଶୁର ବିଜୟ କୁମାର ଶତପଥୀ, ଶାଶୁ ସଂଯୁକ୍ତା ଶତପଥୀ ଏବଂ ମାଁ ମମତା ପଣ୍ଡା ପ୍ରମୁଖ ଯୋଗଦେଇ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ଅତିଥି ମାନେ ଅନୁଷ୍ଠାନର ମୁଖ୍ୟ ପରିଚାଳିକା ସ୍ମୃତି ପଣ୍ଡା ଓ ତାଙ୍କ ସ୍ୱାମୀ ସାଗର ଶତପଥୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ ରେଶମ ସହର ବ୍ରହ୍ମପୁରରେ ଖାଦ୍ୟ ପ୍ରେମୀ ମାନଙ୍କୁ ପୁରୁଣା ଦିଲ୍ଲୀର ସୁସ୍ୱାଦ ଖାଦ୍ୟ ପରମ୍ପରାକୁ ନେଇ ନୂତନ ପ୍ରଣାଳୀ ଅନୁସାରେ ପ୍ରସ୍ତୁତ କରି ପରିବେଷଣ କରିବା ଲକ୍ଷ୍ୟରେ ଉଦ୍ଘାଟିତ ହୋଇଥିବା ନେଇ ଶୁଭକାମନା ଜଣାଇ ଅନୁଷ୍ଠାନର ଉତ୍ତରାଉତ୍ତର କାମନା କରିଥିଲେ। ସେହିପରି ଅନୁଷ୍ଠାନକୁ ସାମାଜିକ ଗଣମାଧ୍ୟମ ଦ୍ୱାରା ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବା ପାଇଁ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ହ୍ୟାରି ପି, ସୁପ୍ରିୟା ମହାରଣା, ନମ୍ରତା ପଟ୍ଟନାୟକ, ଜ୍ୟୋତିର୍ମୟୀ ରଥ, ରିଷି ପଟ୍ଟନାୟକ, ବଳରାମ ଆନ୍ନା ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ରେଷ୍ଟୁରାଣ୍ଟର ମୁଖ୍ୟ ପରିଚାଳିକା ଶ୍ରୀମତୀ ପଣ୍ଡା କହିଛନ୍ତି ଯେ, ପୁରୁଣା ଦିଲ୍ଲୀ ଖାଦ୍ୟର ସ୍ୱାଦକୁ ବ୍ରହ୍ମପୁର ବାସୀଙ୍କ ନିକଟରେ ପହଞ୍ଚାଇବା ଏହି ନୂତନ ରେଷ୍ଟୁରାଣ୍ଟର ମୁଖ୍ୟ ଆକର୍ଷଣ ରହିବ । ତେବେ ଖାଦ୍ୟ ପ୍ରେମୀଙ୍କ ମନ ପସନ୍ଦକୁ ଦୃଷ୍ଟିରେ ରଖି, ଏଠାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ରକମର ସୁଆଦିଆ ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧି ରହିଛି । ସେଥି ମଧ୍ୟରୁ ସ୍ୱତନ୍ତ୍ର ରୂପେ ଉତ୍ତର ଭାରତର ଆକର୍ଷଣୀୟ ବ୍ୟଞ୍ଜନ ଯଥା ନିଲି ନିହାରି କୁଲ୍ଚା, ଫିର୍ହ୍ନୀ, ସାହି ଟୁକଡା, ଜାହାଙ୍ଗୀର ଚିକେନ୍, ନର୍ଗିସ କୁପ୍ତା, ମଟନ୍ ବୁରହା ଭଳି ବହୁ ସ୍ୱାଦିଷ୍ଟ ଖାଦ୍ୟ ସବୁକୁ ଉତ୍ତର ପ୍ରଦେଶର ସୁବିଖ୍ୟାତ ତଥା ପ୍ରଶିକ୍ଷିତ ରୋଷେଇ କାରିଗର ବା ସେଫ୍ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଏ । ଏଣୁ ବ୍ରହ୍ମପୁରର ଖାଦ୍ୟ ପ୍ରେମୀ ମାନଙ୍କୁ ଏହାର ସୁଯୋଗ ନେବା ସହ ପରିବାର ସହ ଖାଦ୍ୟର ମଜା ନେବାକୁ ସ୍ମୃତି ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ଅନ୍ୟତମ ପରିଚାଳକ ସାଗର ଶତପଥୀଙ୍କ ନେତୃତ୍ୱରେ ଜସିମ୍, ମେହେବୁବ, ବିଭୂତି, ସୁମନ, ସସ୍ମିତା, ପୁଷ୍ପା, ଆରିଫ, ବିକ୍ରମ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ।
