• ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ବୈପ୍ଳବିକ ପଦକ୍ଷେପ – ବିଧାୟକ
ବ୍ରହ୍ମପୁର,୨୨/୧୦(ଅଭିଜିତ କର): ସ୍ଥାନୀୟ ରେଡ୍ କ୍ରସ୍ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଏକ ମେଗା ସ୍ବାସ୍ଥ୍ୟ ଶିବିର ସହ ଦୀର୍ଘ ପ୍ରତୀକ୍ଷିତ ୧୨ ଘଣ୍ଟିଆ ଓପିଡି ସେବାର ଶୁଭ ଉଦ୍ଘାଟନ ହୋଇଯାଇଛି। ସହରାଞ୍ଚଳର ଜନ ସାଧାରଣଙ୍କୁ ସହଜ, ସୁଲଭ ଓ ଗୁଣାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀଯୁକ୍ତ କେ. ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମ ମାନନୀୟା ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ନିଗମ ଆୟୁକ୍ତ ଶ୍ରୀମତୀ ଏ. ଶସ୍ୟା ରେଡି ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ କାଦମ୍ବରୀ ଦାସ, କର୍ପୋରେଟର ଶ୍ରୀଯୁକ୍ତ ଡି କରୁଣାକରଙ୍କ ସମେତ ଅନ୍ୟତମ ଅତିଥି ରୂପେ ସମ୍ପୃକ୍ତ ଅଧିକାରୀ, ଡାକ୍ତର ପ୍ରତ୍ୟୁଷ ମିଶ୍ର, ଏଡିପିଏଚଓ ଡାକ୍ତର ଅନିଲ କୁମାର ରଥ ଓ ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଏହି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ବାରା ଦ୍ଵିତୀୟ ଓ ତୃତୀୟ ସ୍ତରୀୟ ବଡ଼ ଡାକ୍ତରଖାନା ଉପରୁ ରୋଗୀଙ୍କ ଭିଡ଼ କମିବା ସହ ସ୍ଥାନୀୟ ଲୋକେ ଗୋଟିଏ ଛାତ ତଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରାଥମିକ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ମାନ୍ୟବର ବିଧାୟକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେହିପରି ଏହି ପଦକ୍ଷେପ ବ୍ରହ୍ମପୁର ସହରର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସମ୍ମାନିତ ଅତିଥି ମନାନୀୟା ମେୟର ଶ୍ରୀମତୀ ଦଳେଇ ମତବ୍ୟକ୍ତ କରିଛନ୍ତି ।ତେବେ ସୂଚନା ଅନୁଯାୟୀ ନୂତନ ସେବା ଓ ସମୟ ସାରଣୀ ଅନୁସାରେ ୧୨ ଘଣ୍ଟିଆ ନିରନ୍ତର ସେବା ମାଧ୍ୟରେ ପୂର୍ବରୁ ଓପିଡି କେବଳ ସକାଳ ଓ ସନ୍ଧ୍ୟାରେ କିଛି ଘଣ୍ଟା ପାଇଁ ଚାଲୁଥିବା ବେଳେ, ଏବେ ଏହା ସକାଳ ୮ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଲଗାତାର ଖୋଲା ରହିବ । ସେହିପରି ସ୍ବତନ୍ତ୍ର ଡାକ୍ତରୀ ପରାମର୍ଶ ପ୍ରତିଦିନ ମଧ୍ୟାହ୍ନ ୧୧ଟା ରୁ ଅପରାହ୍ନ ୨ଟା ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଶେଷଜ୍ଞଙ୍କ ଦ୍ବାରା ରୋଗୀ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କ ପାଇଁ ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ଏବଂ ମାଗଣା ରକ୍ତ ପରୀକ୍ଷା/ଲାବୋରେଟୋରୀ ସେବା ଉପଲବ୍ଧ କରାଯାଇଛି।

ଅତିରିକ୍ତ ମାନବ ସମ୍ଭଳ ନେଇ ଏହି ବନ୍ଧିତ ସମୟକୁ ସୂଚାରୁ ରୂପେ ଚଲାଇବା ପାଇଁ ଏନୟୁଏଚଏମ୍ ଅଧୀନରେ ଜଣେ ଅତିରିକ୍ତ ମେଡିକାଲ ଅଫିସର, ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ଏହି ସେବା ପରୀକ୍ଷା ମୂଳକ ଭିଭିରେ ବ୍ରହ୍ମପୁର ସହରରେ ଗୋଟିଏ ପ୍ରାଥମିକ ଚିକିତ୍ସାଳୟରେ ଯଥା ୟୂପିଏଚସି ରେଡ୍ କ୍ରସ୍ ଠାରେ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଏହାର ସଫଳତାକୁ ଦେଖ୍ ଅନ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଭଳି ସେବା ପ୍ରତିଫଳିତ କରିବାର ଯୋଜନା ଅଛି ବୋଲି ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଆଜିର ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ଶତାଧିକ ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ଗ୍ରହଣ କରିଥିବା ବେଳେ, ରେଡ୍ କ୍ରସ୍ ୟୂପିଏଚସିର ମେଡିକାଲ ଅଫିସର ଇନ୍ଚାର୍ଜ, ପିଏସ୍ଏମ୍ ଏବଂ ସେଠାରେ ନିୟୋଜିତ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଏଏନ୍ଏମ୍ ଏବଂ ଆଶା କର୍ମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳର ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ଶିବିର ପର୍ଯ୍ୟନ୍ତ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
