ବ୍ରହ୍ମପୁର, ୨୬/୧୨ (ଅଭିଜିତ କର): ଦକ୍ଷିଣ ଓଡ଼ିଶାର ଅଗ୍ରଣି ସାଂସ୍କୃତିକ ଉତ୍ସବ ବ୍ରହ୍ମପୁର ମହୋତ୍ସବ ୬ ରୁ ୧୨ ଫେବୃୟାରୀ ସାତଦିନ ବ୍ୟାପି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବକୁ ସଫଳ ରୂପେ ପରିଚାଳନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାରଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହୋତ୍ସବ କମିଟି ଗଠନ କରାଯାଇଛି। ରେସ୍ପନ୍ସ ମର୍କେଟିଙ୍ଗ ଇଭେଣ୍ଟ ଏହାର ଦାୟିତ୍ଵ ନେଇଥିବା ବେଳେ, ରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଓ ପ୍ରଶାସନିକ, ପୋଲିସ, ମହାନଗର ନିଗମ ସମସ୍ତଙ୍କ ସହଯୋଗରେ ଏହାକୁ ଏକ ସୁନ୍ଦର ଓ ସଫଳ ମହୋତ୍ସବ ଭାବେ ଆୟୋଜନ କରାଯିବ ବୋଲି ଆୟୋଜକ ମହାନ୍ ସଂଘ୍ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି । ତେବେ ଏହି ମହୋତ୍ସବରେ ସ୍ଵୟଂ ସହାୟକ ଗୋଷ୍ଟି, କୁଟୀର ଶିଳ୍ପ, ପ୍ରକାଶକ ଓ ସରକାରୀ ବେସରକାରୀ ବିଭିନ୍ନ କିସମର ଷ୍ଟଲ ସହ, ପ୍ରତ୍ୟେକ ଦିନ ଶିକ୍ଷା, ସାହିତ୍ୟ ସଂସ୍କୃତି ପରମ୍ପରା, ଅର୍ଥନୀତିର ବିକାଶ ନେଇ ଆଲୋଚନା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସ୍ବାସ୍ଥ୍ୟ ସେବା ଶିବିର ରକ୍ତଦାନ, ବକ୍ସିଂ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍ମରଣିକା ପ୍ରକାଶ କରାଯିବା ନେଇ ନିଷ୍ପତି ହୋଇଛି। ଏହି ବୈଠକରେ ସଭାପତି ଶ୍ରୀ ସାବତଙ୍କ ସମେତ ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଉପ ସଭାପତି ଭି ରବି କୁମାର ଗୁପ୍ତା, ସହ ସମ୍ପାଦକ ପ୍ରକାଶ ଭଜନି, ମହୋତ୍ସବ କମିଟି ସମ୍ପାଦକ ସିମାଞ୍ଚଲ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।
