ଗଞ୍ଜାମର ସମ୍ଭାବନା ପ୍ରକୃତରେ ଭାରତର ଶିଳ୍ପ ଗତିକୁ ପୂରଣ କରି ପାରିବ – ସିଏମଡି
ବ୍ରହ୍ମପୁର,୬/୯(ଅଭିଜିତ କର): ସ୍ଥାନୀୟ ଧର୍ମ ନଗର ସ୍ଥିତ ଏକ ଘରୋଇ ସମ୍ମିଳନୀ କକ୍ଷରେ ରବିବାର ଗଞ୍ଜାମ ଚାମ୍ବର ଅଫ୍ କମର୍ସ ପକ୍ଷରୁ ‘ସଂକଳ୍ପ ଦିବସ’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଇଲ୍)ର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ପଣ୍ଡା ଯୋଗଦାନ କରିଥିଲେ। ଜିସିସି ସଭାପତି ବାରାଣସୀ ସନ୍ତୋଷ କୁମାର ସଭା ଅଧ୍ୟକ୍ଷତା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସଂଗଠନର ପ୍ରମୁଖ ସଫଳତା, ଆଗାମୀ କାର୍ଯ୍ୟପନ୍ଥା ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶ ପାଇଁ ରହିଥିବା ରଣନୀତିକ ଦୂରଦୃଷ୍ଟି ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ, ଡିସିସି ସମ୍ପାଦକ ଶ୍ରୀ ରାହୁଲ କାର୍ଯ୍ୟକ୍ରମରେ ଆଭିମୁଖ୍ୟ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କୁ ନିଜ ଅଭିଭାଷଣରେ ନିଜର ଅଭିଜ୍ଞତା ପୂର୍ଣ୍ଣ ଉପଦେଶ ପ୍ରଦାନ କରିବା ପାଇଁ ଆଗ୍ରହ କରିଥିଲେ । ଯାହା ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ମାନଙ୍କୁ ଅଗ୍ରଗତି ନିମନ୍ତେ ଉପଯୋଗୀ ରହିବ ବୋଲି କହିଥିଲେ। ଏନେଇ ସଭାକୁ ସମ୍ଭୋଧିତ କରି ଶ୍ରୀ ପଣ୍ଡା ଆଞ୍ଚଳିକ ବିକାଶରେ ସ୍ଥାନୀୟ ବାଣିଜ୍ୟର ଗୁରୁତ୍ବପୂର୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ବ୍ୟବସାୟୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ଓ ସହନଶୀଳତା ଆପଣାଇବାକୁ ଉତ୍ସାହିତ କରିଥିଲେ ।

ଆଜି କେବଳ ଉତ୍ସବର ଦିନ ନୁହେଁ, ବରଂ ଦକ୍ଷିଣ ଓଡ଼ିଶାର ଆର୍ଥିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ପାଇଁ ଏକ ଗମ୍ଭୀର ସଂକଳ୍ପର ଦିନ। ବ୍ରହ୍ମପୁରର ବାଣିଜ୍ୟିକ ହୃଦୟରେ ଠିଆ ହୋଇ, ଆମେ ଏକ ସ୍ଥିର, ଶିଳ୍ପୋନ୍ନତ ଏବଂ ସମୃଦ୍ଧ ଗଞ୍ଜାମ ଗଠନ ପାଇଁ ଆମର ସାମୂହିକ ଶକ୍ତିକୁ ନିୟୋଜିତ କରିବାକୁ ପଡିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଜିସିସିର ପୂର୍ବତନ ସଭାପତି, ସଂରକ୍ଷକ (ପାଟ୍ରୋନ୍) ସଦସ୍ୟ, ଷ୍ଟାର୍ ସଦସ୍ୟ, ଆଇକନିକ୍ ସଦସ୍ୟ, ନବ ନିର୍ବାଚିତ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ୧୦୦ ଜଣ ବିଶିଷ୍ଟ ଆମ୍ବାସାଡର ମାନଙ୍କୁ ବ୍ୟବସାୟିକ ସମ୍ପ୍ରଦାୟ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ବଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ତାହାକୁ ପୂରଣ କରିବା ନେଇ ଡକ୍ଟର ଅଶୋକ କୁମାର ପଣ୍ଡାଙ୍କ ସହଭାଗୀତା ସହିତ, ଗଞ୍ଜାମର ସମ୍ଭାବନା ପ୍ରକୃତରେ ଭାରତର ଶିଳ୍ପ ଗତିକୁ ପୂରଣ କରିପାରିବ ସଂଘ କାର୍ଯ୍ୟକର୍ତ୍ତା ମାନେ ଆଶା ପ୍ରକଟ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ କିସିସି ଉପ ସଭାପତି କେ ରବି, ସାଜା ଶ୍ରୀକାନ୍ତ ଓ ପି.ଏସ୍.ଏନ୍. ସେନାପତି, କୋଷାଧ୍ୟକ୍ଷ ବି.ଜେ. ରବି, ଅତିରିକ୍ତ ସମ୍ପାଦକ ସଚ୍ଚିଦାନନ୍ଦ ପୃଷ୍ଟି, ଯୁଗ୍ମ ସମ୍ପାଦକ ସୁମନ ସାବତ, ସଂଯୋଜକ ଗୋବିନ୍ଦ ପାତ୍ର, ସମ୍ପାଦକ ବାରାଣସୀ ସତ୍ୟ ନାରାୟଣ ଏବଂ ଜିସିସିଆଇଏଲ୍ ସଂଯୋଜକ ସାର୍ଥକ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସଭା ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରି ଆନୁଷ୍ଠାନିକ କାର୍ଯ୍ୟକ୍ରମ ଶେଷ କରିଥିଲେ । ଜିଲ୍ଲାର ବହୁ ବିଶିଷ୍ଟ ବ୍ୟବସାୟୀ, ବାଣିଜ୍ୟ ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଅଂଶ ଗ୍ରହଣ ସହ ଭବିଷ୍ୟତର ପ୍ରଗତି ଓ ଅର୍ଥନୈତିକ ସମୃଦ୍ଧି ପାଇଁ ସଂକଳ୍ପ ନେଇ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା ।
