ନୂଆଦିଲ୍ଲୀ / ଭୁବନେଶ୍ୱର:
ଆସନ୍ତା ଏପ୍ରିଲ୍ ୨ ତାରିଖରେ ହେବାକୁ ଥିବା ଓଡ଼ିଶାର ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଚାଲିଥିବା ରାଜନୈତିକ ଗଣନା ଏହି ନିର୍ବାଚନକୁ ଅତ୍ୟନ୍ତ ଆକର୍ଷଣୀୟ କରିଛି।

ବର୍ତ୍ତମାନ ଓଡ଼ିଶାରୁ ୭ ଜଣ ବିଜେଡି ଓ ୩ ଜଣ ବିଜେପି ସାଂସଦ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛନ୍ତି। ବିଜେପିର ସୁଜିତ କୁମାର ଓ ମମତା ମହାନ୍ତ, ଏବଂ ବିଜେଡିର ମୁଜିବୁଲ୍ଲା ଖାନ ଓ ନିରଞ୍ଜନ ବିଶୀଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୨ ତାରିଖରେ ସମାପ୍ତ ହେବାକୁ ଯାଉଥିବାରୁ ମୋଟ ୪ଟି ରାଜ୍ୟସଭା ଆସନ ଖାଲି ହେବ।
ବିଧାନସଭାର ବର୍ତ୍ତମାନ ସଂଖ୍ୟାବଳୀ ଅନୁଯାୟୀ ବିଜେପି ୨ଟି ଆସନ ଓ ବିଜେଡି ୧ଟି ଆସନ ନିଶ୍ଚିତ ଭାବେ ହାସଲ କରିବା ସ୍ଥିତିରେ ରହିଛି। ତେବେ ଚତୁର୍ଥ ଆସନକୁ ନେଇ ରାଜନୈତିକ ମହଳରେ ଜୋରଦାର ଚର୍ଚ୍ଚା ଚାଲିଛି।
ରାଜ୍ୟସଭା ନିର୍ବାଚନ ନିୟମ ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ କମ୍ରେକମ୍ ୩୦ଟି ଭୋଟ ଆବଶ୍ୟକ। ବିଜେପି ପାଖରେ ବର୍ତ୍ତମାନ ୭୯ ଜଣ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପଟେ, ବିଜେଡି ପାଖରେ (୨ ଜଣ ବିଧାୟକଙ୍କ ସସ୍ପେନ୍ସନ ପରେ) ୪୮ ଜଣ ବିଧାୟକ ରହିଛନ୍ତି। କଂଗ୍ରେସ ପାଖରେ ୧୪ ଓ ସିପିଆଇ(ଏମ) ପାଖରେ ୧ ଜଣ ବିଧାୟକ ଅଛନ୍ତି।
ତିନୋଟି ନିଶ୍ଚିତ ଆସନ ପରେ ବିଜେପି ପାଖରେ ୨୨ଟି ଅତିରିକ୍ତ ଭୋଟ ଓ ବିଜେଡି ପାଖରେ ୧୮ଟି ଅତିରିକ୍ତ ଭୋଟ ରହିବ। ଚତୁର୍ଥ ଆସନ ପାଇଁ ବିଜେପିକୁ ଅତିରିକ୍ତ ୮ ଓ ବିଜେଡିକୁ ୧୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ଏହି ପରିସ୍ଥିତିରେ ୧୫ ଭୋଟ ଥିବା କଂଗ୍ରେସ ଓ ସିପିଆଇ(ଏମ) ‘କିଙ୍ଗମେକର’ ଭୂମିକାରେ ଥିବା ଆଲୋଚନା ହେଉଛି।
ଏହି ସମସ୍ତ ରାଜନୈତିକ ହିସାବ–ନିକାସ ମଧ୍ୟରେ ଓଡ଼ିଶାର ରାଜନୀତି ଓ ମିଡ଼ିଆ ମହଳରେ ଯେଉଁ ନାମଟି ଜୋରଦାର ଭାବେ ଚର୍ଚ୍ଚାରେ ରହିଛି, ସେହି ନାମ ହେଉଛି ଡ଼ା. ପବିତ୍ର ମୋହନ ସାମନ୍ତରାୟ।
ଡ଼ା. ସାମନ୍ତରାୟ ବର୍ତ୍ତମାନ ରାଷ୍ଟ୍ରୀୟ ପତ୍ରକାର ମହାସଂଘ (RPM), ନ୍ୟାସନାଲ୍ ମିଡ଼ିଆ କନଫେଡେରେସନ୍ (NMC) ଓ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ସ୍ମଲ୍ ଏଣ୍ଡ୍ ମିଡ଼ିଆମ୍ ନ୍ୟୁଜପେପର୍ସ (IFSMN), ନୂଆଦିଲ୍ଲୀର ଜାତୀୟ ସଭାପତି ଭାବେ କାର୍ଯ୍ୟରତ।
ଦୀର୍ଘ ଦଶକ ଧରି ସେ ସାମ୍ବାଦିକଙ୍କ କଲ୍ୟାଣ, ଅଧିକାର ଓ ସୁରକ୍ଷା ପାଇଁ ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅବିରତ ପ୍ରୟାସ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରିଛି।
ସେ ବେଦିକ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ ଓ ମହାର୍ଷି ଇଣ୍ଟରନ୍ୟାସନାଲ୍ ଜ୍ଞାନ ଫାଉଣ୍ଡେସନ୍ର ଅଧ୍ୟକ୍ଷ ମଧ୍ୟ। ଚାରି ଦଶକ ଧରି ବେଦ, ଭାରତୀୟ ସଂସ୍କୃତି, ଯୋଗ, ଧ୍ୟାନ ଓ ଆୟୁର୍ବେଦର ପ୍ରଚାର–ପ୍ରସାରରେ ସେ ଅଗ୍ରଣୀ ଭୂମିକା ନିଭାଇଆସୁଛନ୍ତି। ଓଡ଼ିଶା ସହ ଦେଶର ବିଭିନ୍ନ ସ୍ଥାନରେ ସେ ଶିକ୍ଷାନୁଷ୍ଠାନ, ବେଦ ବିଜ୍ଞାନ ବିଦ୍ୟାପୀଠ, ଯୋଗ ଓ ଆୟୁର୍ବେଦ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି।
ଉଲ୍ଲେଖନୀୟ ଯେ, ଡ଼ା. ସାମନ୍ତରାୟ ୨୦୦୯ ମସିହାରେ ବାଦଚଣା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଯଦିଓ ତାଙ୍କର ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ଆଧିକାରିକ ଘୋଷଣା ହୋଇନାହିଁ, ତଥାପି ଭରସାଯୋଗ୍ୟ ସୂତ୍ର ଅନୁଯାୟୀ ତାଙ୍କ ନାମ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି।
ଏହି ପରିସ୍ଥିତିରେ, ଓଡ଼ିଶାର ରାଜ୍ୟସଭା ନିର୍ବାଚନର ଭବିଷ୍ୟତ ନେଇ ସମସ୍ତଙ୍କ ଦୃଷ୍ଟି ବିଜେଡି ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତା ନିଷ୍ପତ୍ତି ଉପରେ ନିର୍ଭର କରୁଛି
