ବ୍ରହ୍ମପୁର,୧୦/୩ (ଅଭିଜିତ କର): ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ମାଇ ସ୍କୁଲ୍ ଇଟାଲିର ୧୦ମ ବାର୍ଷିକ ଉତ୍ସବ ଉଡାନ୍ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍କୁଲର ନିର୍ଦ୍ଦେଶିକା ଶ୍ରୀମତୀ ଉଷାରାଣୀ ପାଢ଼ୀ ଓ ପ୍ରଧାନ ଶିକ୍ଷିକା ଶ୍ରୀମତୀ ଡି. ବିନ୍ଧ୍ୟାଶ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଏମକେସିଜି ଡା. ନିରୂପମା ଦେବୀ, ସମ୍ମାନିତ ଅତିଥି ରୂପେ ଚିନ୍ମୟ ମିଶନ ସ୍ୱାମୀ ସଦାଶିବାନନ୍ଦ, ଡା. ସବ୍ୟସାଚୀ ରଥ, ଇଞ୍ଜିନିୟର ଜଗନ୍ନାଥ ପାଢ଼ୀ ଏବଂ ସମାଜସେବୀ ସୁସନ୍ତ ସାବତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍କୁଲର ପ୍ରଧାନ ଶିକ୍ଷିକା ଡି. ବିନ୍ଧ୍ୟାଶ୍ରୀ ବାର୍ଷିକ ବିବରଣୀ ପାଠ କରି ଅତିଥି ମାନଙ୍କୁ ସ୍କୁଲର ଗୌରବ ଓ ଗରିମା ବିଷୟରେ ଅଭିଭାଷଣ ରଖିଥିବା ବେଳେ, ଅତିଥି ମାନେ ଏହାକୁ ଅତି ପ୍ରଶଂସା କରିବା ସ୍କୁଲର ନିର୍ଦ୍ଦେଶିକା ଓ କର୍ତୃପକ୍ଷଙ୍କ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପରେ ଚିନ୍ମୟ ଭିଜନ୍ ସ୍କୁଲ ସହଯୋଗରେ ୨ରୁ ୬ବର୍ଷ ବୟସର ଶିଶୁମାନଙ୍କ ଦ୍ଵାରା ନିଜ ନିଜର ଅଦ୍ଭୁତ ପ୍ରତିଭା ପ୍ରଦର୍ଶନ ହୋଇଥିଲା ଯାହାକୁ ଦର୍ଶକ ତଥା ଅଭିଭାବକ ମାନେ ମନୋରଞ୍ଜନ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍କୁଲର ପରିଚାଳନା ପରିଷଦ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିବା ବେଳେ, କର୍ମଚାରୀ ମାନଙ୍କର ଅବିରତ ପରିଶ୍ରମରେ ଏହି ଉତ୍ସବକୁ ସଫଳତା ହାସଲ କରିଥିବା ନେଇ ନିର୍ଦ୍ଦେଶିକା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ ସ୍କୁଲର ସମନ୍ୱୟକାରୀ ଶ୍ରୀମତୀ ସସ୍ମିତା ସାହୁ ସଞ୍ଚାଳନ କରିଥିବା ବେଳେ, ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଶ୍ରୀଲତା ପାତ୍ର ସୁଚାରୁ ରୂପେ ତଦାରଖ କରିଥିଲେ ।
