• ଛାତ୍ର ଅଂଶୁମାନ ଷଡ଼ଙ୍ଗୀ ସର୍ବାଧିକ ୫୯୫ (୯୯.୧୬ %) ମାର୍କ ରଖି ରାଜ୍ୟର ୪ର୍ଥ ଟପ୍ପର
ବ୍ରହ୍ମପୁର,୨୦/୫(ଅଭିଜିତ କର): ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ, ସେଥିରେ ସ୍ଥାନୀୟ ଜୟ ପ୍ରକାଶ ନଗର ସ୍ଥିତ ‘ନାଳନ୍ଦା ବିଦ୍ୟା ମନ୍ଦିର’ର ଛାତ୍ରଛାତ୍ରୀ ମାନେ ୧୦୦% ରେଜଲ୍ଟ ହାସଲ କରି ସଫଳତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏନେଇ ବୁଧୁବାର ଅପରାହ୍ନରେ ବିଦ୍ୟାମନ୍ଦିର ପରିସରରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିବା ସହ ଅନୁଷ୍ଠାନର ପରିଚାଳନା ସଭାପତି ଶ୍ରୀ ଭଗବାନ ସାହୁଙ୍କ ସମେତ ଉପଦେଷ୍ଠା ବସନ୍ତ କୁମାର ମହାପାତ୍ର ଏବଂ ସିଇଓ ରାମଚନ୍ଦ୍ର ଦାସ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ସମସ୍ତଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇ ଥିଲେ। ତେବେ ସୂଚନା ଅନୁସାରେ ୪୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସ୍ଥଳେ ୪୮୪ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ସହ ୧୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୨୬୦ ଜଣ ବିଦ୍ୟାର୍ଥୀ ୫୦୦ରୁ ଉର୍ଦ୍ଧ୍ବ ମାର୍କ ରଖି ଅନୁଷ୍ଠାନର ଗୌରବକୁ ଦ୍ବିଗୁଣିତ କରିଥିବା ସହ ଅନୁଷ୍ଠାନର ଛାତ୍ର ଅଂଶୁମାନ ଷଡ଼ଙ୍ଗୀ ସର୍ବାଧିକ ୫୯୫ (୯୯.୧୬%) ମାର୍କ ରଖି ଟପର ହୋଇଥିବା ବେଳେ, ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ବଜାୟ ରଖି କୃତିତ୍ୱ ଅର୍ଜନ କରିଛନ୍ତି ।

ଭବିଷ୍ୟତରେ ଏକ ଭଲ ଇଞ୍ଜିନିୟର ରୂପେ ନିଜକୁ ଗଢି ତୋଳି ଦେଶର ସେବା କରିବାକୁ ଲକ୍ଷ ରଖିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଅନୁଷ୍ଠାନର ବିଦ୍ୟାର୍ଥୀ ଦୀପାରାଣୀ ପୋଲାଈ ୫୯୨, ରିତେଶ କୁମାର ଭୂୟାଁ ୫୯୧, ଦୀପିକା ରାଣୀ ମୁନି ଓ ବର୍ଷା ରାଣୀ ଚୌଧୁରୀ ୫୯୦ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ ହୋଇଛନ୍ତି ବୋଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ରୋଜାଲିନ ପଣ୍ଡା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ଭଗବାନ ସାହୁ ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଉତ୍ତମ ଭବିଷ୍ୟତର ଉଜ୍ବଳ କାମନା କରି ଶିକ୍ଷାନୁଷ୍ଠାନର ଉତ୍ତମ ଶିକ୍ଷାଦାନ ପ୍ରଣାଳୀ, ସମୟାନୁବର୍ତ୍ତିତାକୁ ନିଜର ସଫଳତାର ଚାବି କାଠି ବୋଲି ଉପଦେଶ ଦେଇ ଅଭିନନ୍ଦନ ଜଣାଇଥିଲେ। ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ମଧ୍ୟ ବିଦ୍ୟାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ସଫଳତାର ଶ୍ରେୟ ସବୁକୁ ନିଜ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରି ଖୁସି ବ୍ୟକ୍ତ କରିଛନ୍ତି।
