• ଆମେରିକୀୟ ଓଡ଼ିଆ ଯୁବତୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ମୁଖ୍ୟ ଆକର୍ଷଣ
• ଜଗନ୍ନାଥ ପ୍ରେମୀଙ୍କ ମିଳିତରେ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଓ ମନ୍ଦିର ବିଜେ ଅନୁଷ୍ଠିତ
ଆମେରିକା/ବ୍ରହ୍ମପୁର(ଅଭିଜିତ କର): କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ ମାସରେ ଭବ୍ୟ ସମାରୋହରେ ପାଳନ କରାଯାଇଛି। ଏହି ପରମ୍ପରା ତଥା ନୀତି ନିୟମକୁ ଅନୁପାଳନ କରି ସୁଦୂର ବିଦେଶ ଆମେରିକାର ଦେଶର କାଲିଫୋର୍ଣ୍ଣିଆ ରାଜ୍ୟର ଲସ୍ ଏଞ୍ଜେଲେସ୍ ସହର ଠାରେ ନୂତନ ରୂପେ ନିର୍ମିତ ରାଧାରମଣ ବୈଦିକ ମନ୍ଦିରରେ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଳନ କରାଯାଇଛି। ଗତ ପାଞ୍ଚ ବର୍ଷ ଧରି ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀ ମାନଙ୍କ ଦ୍ଵାରା ଏହିପରି ରଥଯାତ୍ରା ପର୍ବ ପାଳନ ହୋଇଆସୁଥିବା ବେଳେ, ଚଳିତ ବର୍ଷ ପଞ୍ଚମ ବର୍ଷ ଅବସରରେ ରଥଯାତ୍ରା ପର୍ବ ପାଳନ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧ ହଜାରରୁ ଅଧିକ ଜଗନ୍ନାଥ ଭକ୍ତ ମାନେ ଯୋଗଦେଇ ସାମୂହିକ ରୂପେ ପର୍ବକୁ ପାଳନ କରିଥିଲେ ।

ସୂଚନା ଅନୁସାରେ ସ୍ନାନ ପୂର୍ଣ୍ଣିମା ପର୍ବରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମହାସ୍ନାନ ଠାରୁ ଆରମ୍ଭ ହୋଇ ନବ ଯୌବନ ଦର୍ଶନ ଭଳି ପବିତ୍ର ନେତ୍ର ଉତ୍ସବ ଦିନ ପ୍ରଭୁ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଏବଂ ଚକ୍ର ରାଜା ଶ୍ରୀ ସୁଦର୍ଶନଙ୍କୁ ପ୍ରାମାଣିକ ପୁରୀ ଶୈଳୀରେ ପୂଜାର୍ଚ୍ଚନା ହୋଇ ଉକ୍ତଙ୍କୁ ଦର୍ଶନ ଦେଇ ଥିଲେ । ଏହି ପର୍ବ ସମୂହ କବିତା ମିଶ୍ର, ଅଶୋକ ଜେନା ଏବଂ ପ୍ରଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ସହରର ବହୁ ସ୍ୱେଚ୍ଛାସେବୀ ମାନଙ୍କର ଏକ ଉତ୍ସାହିତ ଦଳ ଦ୍ୱାରା ପରିଚାଳିତ ହୋଇ ମନ୍ଦିରର ପରିସରରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ ହୋଇଆସୁଛି । ସେହିପରି ଓଡ଼ିଆଙ୍କ ମୁଖ୍ୟ ପର୍ବ ମହାପ୍ରଭୁଙ୍କ ରଥଯାତ୍ରା ପର୍ବ ମଧ୍ୟ ପାଳନ କରାଯାଉଥିବା କୁହାଯାଇଛି ।

ଏହି ରଥଯାତ୍ରାରେ ମନ୍ଦିର ପୁରୋହିତ ରଘୁନନ୍ଦନ ପ୍ରଭୁ ଓ କେଶବ ଦାସ ପ୍ରମୁଖ ବୈଦିକ ରୀତିନୀତିରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ, ବୃନ୍ଦାବନରୁ ବିଶେଷ ଭାବେ ଅଣାଯାଇଥିବା ଉତ୍କୃଷ୍ଟ ରେଶମ ବସ୍ତ୍ରରେ ଶ୍ରୀ ବିଗ୍ରହ ମାନଙ୍କୁ ସୁସଜ୍ଜିତ କରାଯାଇଥିଲା । ଏବଂ ପାରମ୍ପରିକ ରଥକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇ ଚଳିତ ବର୍ଷର ରଥଯାତ୍ରା ପାଳନ ହୋଇଥିଲା । ଏହି ପରମ୍ପରାରେ ଯଜମାନ ପ୍ରେମ ଗୁପ୍ତା ପବିତ୍ର ‘ଛେରା ପହଁରା’ ନୀତି ସମ୍ପାଦନ କରିବାର ସୌଭାଗ୍ୟ ଲାଭ କରିଥିବା ବେଳେ, ସମଗ୍ର ସହର ପୁରାଣ ଜଗନ୍ନାଥ ମୟ ହୋଇ “ଜୟ ଜଗନ୍ନାଥ” ଧ୍ୱନିରେ ଭକ୍ତିମୟ ହୋଇ ଉଠିଥିଲା । ଏହି ଅବସରରେ ଶତାଧିକ ଭକ୍ତ ମାନେ ପାରମ୍ପରିକ ବାଦ୍ୟଯନ୍ତ୍ରର ମଧୁର ନାଦ ଭଜନ ଓ କୀର୍ତ୍ତନ ମଧ୍ୟରେ ଭବ୍ୟ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

ଏହି ମହୋତ୍ସବର ସବୁ ଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ଭକ୍ତ ମାନଙ୍କର ଅପୂର୍ବ ଅଂଶ ଗ୍ରହଣ, ଶହ ଶହ ଭକ୍ତ ଶ୍ରୀରଥ ସମ୍ମୁଖରେ ଓଡ଼ିଶୀ ନୃତ୍ୟ କରି ଭକ୍ତି, ସଙ୍ଗୀତ ଓ ଆଧ୍ୟାତ୍ମିକ ଆନନ୍ଦରେ ପରିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ, ଯାହା ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସ୍ମୃତିକୁ ଜୀବନ୍ତ କରି ଦେଇଥିଲା । ତେବେ ଏହି ଅବସରରେ ରଥ ଟଣା ବେଳେ, ଭକ୍ତ ମାନଙ୍କ ନିମନ୍ତେ ଟଙ୍କ ତୋରାଣିର ବ୍ୟବସ୍ଥା କରାଯାଇଥିଲା, ଯାହାକି ପିଈ ଭକ୍ତ ମାନେ ଖରାରୁ ତ୍ରାହି ପାହିଥିବା ସହ ଅତି ଆନନ୍ଦିତ ଭାବରେ ରଥ ଟାଣି ଥିଲେ । ଏନେଇ ମହାପ୍ରଭୁଙ୍କ ଭୋଗ ବିଧି ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଛପନ ଭୋଗ ଯଥା କାନିକା, ଖଜା, ଗଜା, କାକାରା, ଡାଲି, ସାଗ, ଖଟା, ଖିରି, ମାଲପୁଆ, ରସାବଳି, ଛେନା ଭଳି ବିଭିନ ପିଠା, ମିଠା ଏବଂ ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଠାକୁରଙ୍କ ଠାରେ ଅର୍ପଣ କରାଯାଇଥିଲା, ଯାହାକୁ ଭକ୍ତ ମାନେ ପ୍ରସାଦ ରୂପେ ଗ୍ରହଣ କରି କରି ଅତି ଆନନ୍ଦିତ ହୋଇଥିଲେ ।

ତେବେ ଗୁଣ୍ଡିଚା ମନ୍ଦିର ରୂପେ ନିର୍ଦ୍ଧାରିତ ସ୍ଥାନ ଠାରେ ଠାକୁର ମାନେ ମାଉସୀ ମାଁ ମନ୍ଦିରରେ ରହି ସମସ୍ତ ଓଡିଆ ପରିବାରଙ୍କ ଦ୍ଵାରା ସାତ ଦିନ ପୂଜା ପାଇ ଥିଲେ ଓ ଜୁଲାଇ ୨୬ ତାରିଖରେ “ବାହୁଡା ଯାତ୍ରା” ମଧ୍ୟ ଆୟୋଜନ ହୋଇଥିଲା । ଏକାଦଶୀ ତିଥି ହେତୁ ମହାପ୍ରଭୁ ମାନଙ୍କ ସେହି ଦିନ ରଥରେ ସୁନା ବେଶ ଏବଂ ତାପର ଦିନ ପାରମ୍ପରିକ ଶୈଳୀରେ ଅଧର ପଣା ଓ ଲକ୍ଷ୍ମୀ ନାରାୟଣ କଳି ପରମ୍ପରା ପରେ, ମାଁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ “ନୀଳାଦ୍ରି ବିଜେ” କରିଥିଲେ । ମହୋତ୍ସବର ସମାପ୍ତି ଅବସରରେ ଭକ୍ତ ମାନେ ଆଉ ଏକ ସଫଳ ଏବଂ ପ୍ରେରଣା ଦାୟକ ରଥଯାତ୍ରାର ସ୍ମୃତିକୁ ହୃଦୟରେ ସାଇତି ରଖିଥିଲେ। ଏହି ଆୟୋଜନ କେବଳ ସମ୍ପ୍ରଦାୟର ଆଧ୍ୟାତ୍ମିକ ଏକତାକୁ ସୁଦୃଢ଼ କରି ନଥିଲା, ବରଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ଚିରନ୍ତନ ପରମ୍ପରାକୁ ମଧ୍ୟ ଉତ୍ସବ ମୁଖର କରିଥିବା ଶହ ଶହ ଭକ୍ତ ମାନେ ଭାବ ପ୍ରକାଶ କରିଥିବା ପରିଲିଖିତ ହେଉଥିଲା।
