ବ୍ରହ୍ମପୁର,୨/୮(ଅଭିଜିତ କର): ଚଳିତ ମାସ ଠାରୁ ପବିତ୍ର ଶ୍ରାବଣ ଋତୁ ଆରମ୍ଭ ହୋଇଛି, ପୂର୍ବ ପରମ୍ପରା ଅନୁଯାୟୀ ମାସର ସମସ୍ତ ସୋମବାର ଦିନ ଦେବ ଦେବ ମହାଦେବଙ୍କ ପବିତ୍ର ଜଳରେ ସ୍ନାନ ବା ଜଳାଭିଷେକ କରିଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ଆଶୀର୍ବାଦ ଲାଭ ହୁଏ ବୋଲି ପୂରଣ ଏବଂ ଶାସ୍ତ୍ର ଗୁଡ଼ିକରେ ଉଲ୍ଲେଖ ରହିଥିବା କୁହାଯାଇଛି । ଏନେଇ କାହିଁ କେଉଁ କାଳରୁ ଶୈବ ଭକ୍ତ ମାନେ ମାସର ପ୍ରତ୍ୟେକ ସୋମବାର ଦିନ ମହେଶ୍ୱରଙ୍କ ଜଳାଭିଷେକ କରନ୍ତି । ସେହି ବିଶ୍ୱାସକୁ ନେଇ ଆସନ୍ତା କାଲି ତଥା ପ୍ରଥମ ସୋମବାର ଅବସରରେ ବ୍ରହ୍ମପୁର ବ୍ରହ୍ମା ନଗର ବୋଲବମ ସଂଘର ସଦସ୍ୟ ମାନେ ଆଜି ପ୍ରଭାତରୁ ଭକ୍ତି ମୟ ପରିବେଶ ମଧ୍ୟରେ ଗଞ୍ଜାମର ପବିତ୍ର ଋଷିକୂଲ୍ୟା ନଦୀରୁ ଜଳ ସଂଗ୍ରହ କରିଛନ୍ତି। ପରେ ସେମାନେ “ବୋଲ ବମ” ଧ୍ୱନିରେ କାଉଡ଼ିଆ ଯାତ୍ରା କରି ବୁରୀ ଗାଁ ସ୍ଥିତ ପ୍ରସିଦ୍ଧ ବାବା ଝାଡେଶ୍ୱର ମନ୍ଦିରରେ ପହଞ୍ଚି ମହାଦେବଙ୍କ ନିକଟରେ ପବିତ୍ର ଜଳାଭିଷେକ କରିବେ ବୋଲି କହିଛନ୍ତି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମା ନଗର ବୋଲବମ ସଂଘର ବହୁ ସଂଖ୍ୟକ ସଦସ୍ୟ ଓ ଶିବ ଭକ୍ତ ସାମିଲ ହୋଇଥିବା ବେଳେ, ଶ୍ରାବଣର ପ୍ରଥମ ସୋମବାରକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି।
