ପିତା ମାତା ଚଳନ୍ତି ଠାକୁର, ତାଙ୍କୁ ଅସହାୟ କରନ୍ତୁ ନାହିଁ – ପ୍ରତିଷ୍ଠାତା
ବ୍ରହ୍ମପୁର,୧୭/୮(ଅଭିଜିତ କର): ଗୋପାଳପୁର ମ୍ୟୁନିସିପାଲଟି ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ବିଶ୍ୱ ନିକେତନ ଜରା ନିବାସର ୧୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହାର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିବାସର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସବ ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଛି। ଏହି ଅବସରରେ ସମାଜକୁ ଏକ ସଚେତନ ବାର୍ତ୍ତା ଦିଆଯାଇଥିଲା ଯେ, ଯୌଥ ପରିବାର ନଷ୍ଟ ହେବା ଓ ଯୁବ ପିଢ଼ିଙ୍କ ସ୍ୱାର୍ଥପରତା ମନଭାବ ଯୋଗୁଁ ବରିଷ୍ଟ ନାଗରିକ ମାନେ ଶେଷ ଜୀବନରେ ଅନେକ କଷ୍ଟ ଭୋଗୁଛନ୍ତି । ଏଣୁ ବରିଷ୍ଟ ନାଗରିକଙ୍କ ସୁରକ୍ଷା, ସେବା ହିଁ ଆମ ମାନଙ୍କ ତଥା ସମାଜ ଓ ସରକାରଙ୍କ ଗୁରୁ ଦାୟିତ୍ୱ । ଦୀର୍ଘ ୧୬ ବର୍ଷରେ ବିଶ୍ୱ ନିକେତନ ଜରା ନିବାସ ଶତାଧିକ ଅସହାୟ ବରିଷ୍ଟ ନାଗରିକଙ୍କୁ ଆଶ୍ରୟ ଦେବା ସହ ବହୁ ବରିଷ୍ଟଙ୍କୁ ଆପୋଷ ବୁଝାମଣା ଦ୍ୱାରା ନିଜ ଘରକୁ ଫେରାଇବାରେ ସକ୍ଷମ ହୋଇ ପାରିଛନ୍ତି।

ଏଥି ପାଇଁ ଶ୍ରୀ ସାବତ ସମସ୍ତ ସଦସ୍ୟ ସଦସ୍ୟା ଶୁଭେଚ୍ଛୁ ଦାତାଙ୍କୁ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ନେଇ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ସାବତ ନିଜ ବକ୍ତବ୍ୟରେ ପିତା ମାତା ମାନେ ହେଲେ ଚଳନ୍ତି ଠାକୁର, ବରିଷ୍ଟ ନାଗରିକ ମାନେ ଦେବ ତୁଲ୍ୟ, ଏଣୁ ମନ୍ଦିର ଯିବା ଅପେକ୍ଷା ଏମାନଙ୍କ ସେବା କରିବା ଦ୍ୱାରା ଭଗବାନଙ୍କ ଅଧିକ ଆଶୀର୍ବାଦ ମିଳିଥାଏ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାନ୍ ସଂଘ ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ, ପ୍ରଭାକର ସାହୁ, ସୀମାଞ୍ଚଳ ଦାସ, ହରି କୃଷ୍ଣ ମିଶ୍ର, ମମତା ରଣା, ସୀମାଞ୍ଚଳ ପାଣିଗ୍ରାହୀ, ଆଶ୍ରମ ସମ୍ପାଦକ ରୁପକାନ୍ତ ସାମନ୍ତରା, ଉମା ଶଙ୍କର ପାଣିଙ୍କ ସମେତ ବହୁ ଶୁଭେଚ୍ଛୁ ବିଶ୍ୱ ନିକେତନର ସେବାକୁ ପ୍ରସଂଶା କରିବା ସହ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।
