• ୨୮ରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଇଁ ଆହ୍ୱାନ
ବ୍ରହ୍ମପୁର,୨୩/୯(ଅଭିଜିତ କର): ଗଞ୍ଜାମ ଚାମ୍ବର ଅଫ୍ କମର୍ସ ଏବଂ ବିଭିନ୍ନ ବାଣିଜ୍ୟିକ ସଂଗଠନର ମିଳିତ ଭାବେ ଆଜି ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତା ରମଣଙ୍କ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ପ୍ରସ୍ତାବିତ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR)କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି। ଏହି ଆନ୍ଦୋଳନ ‘କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (CAIT) ଦ୍ୱାରା ପରିଚାଳିତ ଏକ ସର୍ବ ଭାରତୀୟ ଅଭିଯାନର ଅଂଶ ବିଶେଷ ଅଟେ। ଏଣୁ ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନଙ୍କ ଅନୁପସ୍ଥିତିରେ, ବ୍ୟବସାୟୀ ନେତା ମାନେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କୁ ଏହି ସ୍ମାରକ ପତ୍ର ଆନୁଷ୍ଠାନିକ ଭାବେ ପ୍ରଦାନ କରିଥିଲେ।
ଏହି ଅବସରରେ ଜିସିସି ସଭାପତି ଶ୍ରୀ ଭି. ସନ୍ତୋଷ କୁମାରଙ୍କ ନେତୃତ୍ୱରେ ଚାମ୍ବର ପକ୍ଷରୁ ଆସନ୍ତା ୨୮ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଶେଷରେ ପୁନର୍ବାର ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅଞ୍ଚଳର ସମସ୍ତ ବ୍ୟବସାୟୀଙ୍କୁ ଏକତାର ସହ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଜଣାଇ ଥିଲେ। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ସତ୍ତ୍ୱେ ସ୍ୱଳ୍ପ ସମୟର ସୂଚନା ମଧ୍ୟରେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିବାରୁ ସଂଘ ସମ୍ପାଦକ ଟି ରାହୁଲ ସମସ୍ତ ସହଯୋଗୀ ସଂଗଠନର ନେତା ଓ ଚାମ୍ବର ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ।
