• ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରିବାକୁ ଆହ୍ୱାନ
ବ୍ରହ୍ମପୁର,୨୨/୧୧(ଅଭିଜିତ୍ କର): ସ୍ଥାନୀୟ ଗୋସାଣୀନୂଆଗାଁ ସ୍ଥିତ କେ.ସି. ହାଇସ୍କୁଲ ପଡ଼ିଆରେ ରବିବାର ଅପରାହ୍ନରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ୍ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୬ ନମ୍ବର ୱାର୍ଡ କର୍ପୋରେଟର ତଥା ଯୁବ ନେତା ଧୀରେଶ ସାବତଙ୍କ ଶୁଭ ଜନ୍ମ ଦିନ ଅବସରରେ ଏହି ଜନହିତକର କାର୍ଯ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଇ ବିବେବ ରେଡ୍ଡୀ , ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଏସଏମଆଇ ଟି ସଭାପତି ଭଗବାନ ଗନ୍ତାୟତ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ପାର୍ବତୀ ପ୍ରଧାନ, ଶ୍ୱେତ ରେଖା ତ୍ରିପାଠୀଙ୍କ ସମେତ ଅନ୍ୟ ବହୁ କର୍ପୋରେଟର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଶୁଭେଚ୍ଛା ଜଣାଇଛନ୍ତି ଯେ, ଯୁବ କର୍ପୋରେଟର ଶ୍ରୀ ସାବତଙ୍କ ଜନ୍ମଦିନ ଅବସରରେ ଆୟୋଜିତ ମେଗା ରକ୍ତଦାନ ଶିବିର ଏକ ମହତ୍ ଓ ପ୍ରଶଂସନୀୟ ପଦକ୍ଷେପ। ନିଜ ଜନ୍ମଦିନକୁ କେବଳ ଉତ୍ସବ ଭାବେ ପାଳନ ନକରି, ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ମାନବ ସେବାର ବାର୍ତ୍ତା ପ୍ରଦାନ କରିବା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ ବୋଲି କହିଛନ୍ତି। ସେହିପରି ରକ୍ତଦାନ ହେଉଛି ମହାନ ଦାନ, ଯାହା ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ଏଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି, ତାଙ୍କ ଜୀବନ ସୁଖ, ଶାନ୍ତି, ସୁସ୍ଥତା ଓ ସଫଳତାରେ ପରିପୂର୍ଣ୍ଣ ହେଉ। ଆଗାମୀ ଦିନରେ ମଧ୍ୟ ଏହିଭଳି ଜନସେବା ଓ ସମାଜସେବା ମାଧ୍ୟମରେ ସେ ଜନ ସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ଲାଭ କରନ୍ତୁ ବୋଲି କାମନା କରିଥିଲେ।

ଆୟୋଜକଙ୍କ କହିବା ଅନୁସାରେ ଜନ୍ମ ଦିନ ମାନେ କେବଳ କେକ୍ କାଟିବା ନୁହେଁ, ଜନ୍ମ ଦିନ ମାନେ କାହା ଜୀବନ ବଞ୍ଚାଇବା, ଏହି ମହାନ୍ ବାର୍ତ୍ତା ନେଇ ଆସୁଛି ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ୍ ବୋଲି ସଂଘ ସଦସ୍ୟ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ପୋରେଟର ଶ୍ରୀ ସାବତ କହିଛନ୍ତି ଯେ, ବର୍ତ୍ତମାନ ବ୍ଲଡ୍ ବ୍ୟାଙ୍କରେ ରକ୍ତ ଅଭାବ ଦେଖା ଦେଉଛି, ଯାହା ଫଳରେ ଦୁର୍ଘଟଣା, ଅସ୍ତ୍ରୋପଚାର, ଥାଲାସେମିଆ ରୋଗୀଙ୍କ ପାଇଁ ପ୍ରତିଦିନ ରକ୍ତ ଦରକାର। ଗୋଟେ ୟୁନିଟ୍ ରକ୍ତ ତିନି ଜଣଙ୍କ ଜୀବନ ବଞ୍ଚାଇ ପାରେ। ତେଣୁ ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇ ଆଜି ତାହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ।

ସେହିପରି ଏହି ଶିବିରରେ ଯୁବ ବର୍ଗଙ୍କ ସମେତ ସମସ୍ତ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ଯୋଗ ଦେବାକୁ ଶ୍ରୀ ସାବତ ଆହ୍ୱାନ କରିଥିବା ବେଳେ, ରକ୍ତଦାତା ମାନଙ୍କୁ ଶିବିର ସ୍ଥଳରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସମ୍ମାନିତ କରାଯାଇଥିଲା । ଉକ୍ତ ଶିବିର କାର୍ଯ୍ୟକ୍ରମକୁ ଆଶୁତୋଷ ପାତ୍ର, ଜିନେଶ ସାବତ, ରାକେଶ ସାବତ ଓ ବିକ୍ରମ ମହାନ୍ତିଙ୍କ ନେତୃତ୍ୱରେ ରାଜୀବ ଦଳାଇ, ଦିନେଶ ଦାସ, ଦିଲୀପ ସାବତ, ଅଭିନାଶ ପାଣିଗ୍ରାହୀ, ରୋହନ ପାଣିଗ୍ରାହୀ, ନରେଶ ପାତ୍ର, ଜଗନ ପଣ୍ଡା, ଆଶିଷ ଚୌଧୁରୀ, ଆଦିତ୍ୟ ପାତ୍ର ଏବଂ ଅନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।
