ବ୍ରହ୍ମପୁର,୬/୧୦(ଅଭିଜିତ କର): ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋସାଇଁନୂଆଗାଁ ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଏକ “ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର” ଆୟୋଜିତ ହୋଇଥିଲା। ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଜନ ସେବା ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗତ ସେପ୍ଟେମ୍ବର ୧୭ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା “ସେବା ସଂକଳ୍ପ ଅଭିଯାନ” ଅବସରରେ ଆଜି ସେବା ଭାରତୀ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୋସାଇଁନୂଆଗାଁ ସ୍ଥିତ ଗୋକୁଳଧାମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ “ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର”କୁ ଉଦଘାଟନ କରିଥିଲେ । “ସେବା ହିଁ ସଂକଳ୍ପ ଏବଂ ବିକାଶ ହିଁ ଲକ୍ଷ” କୁ ଆଧାର କରି ବିକଶିତ ଭାରତ ନିର୍ମାଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ଦୃତ ଗତିରେ ଆଗେଇ ଚାଲିଛି ବୋଲି କାହ୍ନୁ ଚରଣ ପତି କହିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ଗୋକୁଳଧାମର ସଦସ୍ୟ କେଦାରନାଥ ଚୈାଧୁରୀ, ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ସଭାପତି ଜଗଦୀଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବଡ଼ ମେଡ଼ିକାଲ ରକ୍ତ ଭଣ୍ଡାର କର୍ମଚାରୀ ଏବଂ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଏହି କର୍ମଚାରୀ ମାନଙ୍କୁ ଯୁବମୋର୍ଚ୍ଚା ପକ୍ଷରୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ତେବେ ବିଜେପି ନେତା ସୁନିଲ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଶିବିରରେ ମୋଟ ୧୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୫୦ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ସଂଘ ଶାଖା କାର୍ଯ୍ୟବାହ ପ୍ରହ୍ଲାଦ ପାଣିଗ୍ରାହୀ, ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି.ସମୋନଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।
