ବ୍ରହ୍ମପୁର,୪/୧୦(ଅଭିଜିତ କର): ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ରୋଟାରି କ୍ଲବ ଠାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ପାଳିତ ହେଉଥିବା “ସେବା ସଂକଳ୍ପ ଅଭିଯାନ” ଅବସରରେ ଆଜି ସେବା ଭାରତୀ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସାନ ବଜାର ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଏକ “ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର” ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ, ମାନବ ସେବା ହିଁ ମାଧବ ସେବା, ସମାଜ କଲ୍ୟାଣ ତଥା ରକ୍ତଦାନ ପରି ମହତ କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ଯୁବ ସାଥୀ ଓ ସ୍ୱେଚ୍ଛାସେବୀଙ୍କ ଉତ୍ସାହ ପ୍ରଶଂସନୀୟ ।

ସେବା, ସମର୍ପଣ ଓ ମାନବିକତାର ଏହି ମହତ୍ୱପୂର୍ଣ୍ଣ ପ୍ରୟାସ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସମାଜ ପ୍ରତି ଥିବା କର୍ତ୍ତବ୍ୟ ବୋଧ ଓ ଜନସେବା ପ୍ରତିବଦ୍ଧତାର ପ୍ରତିଫଳନ । ଏହି ମହତ ପ୍ରୟାସକୁ ସଫଳ କରିବା ପାଇଁ ସହଯୋଗ ଦେଇଥିବା ରକ୍ତଦାତା, ଚିକିତ୍ସକ ଏବଂ ପରିଶେଷରେ ଆୟୋଜକ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା । ଏହି ଅବସରରେ ସମ୍ମାନିତ ଅତିଥି ରୂପେ ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ବୃନ୍ଦ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ଯୁବମୋର୍ଚ୍ଚାର ବହୁ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ । ତେବେ ସୂଚନା ଅନୁସାରେ ଏହି ଶିବିରରେ ମୋଟ ୧୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ, ୩୦୦ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।
