ବ୍ରହ୍ମପୁର,୮/୩ (ଅଭିଜିତ କର): ଗୁରୁକୂଳ ସ୍କୁଲରେ ରବିବାର ଅପରାହ୍ନରେ ପୂର୍ବରୁ ଅନୁଷ୍ଠିତ ହେଉଥିବା ସମରକ୍ଯାମ୍ପ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କ୍ୟାମ୍ପର ଶେଷ ଦିବସରେ ଫନ୍ ଫେୟାର ଉତ୍ସବ ଶିମ୍ଫୋନି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀ ସିମାଞ୍ଚଳ ବେହେରା ଯୋଗଦାନ କରିଥିବା ବେଳେ, ବିଦ୍ଯାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଓ ସଂପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢ଼ୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମୁଦାୟ ୪୦ଟି ଷ୍ଟଲ୍ ଲାଗିଥିବା ବେଳେ, ସେଥିରେ ଫ୍ରୁଟ୍ କସ୍ଟଡ୍, ମାଣ୍ଡିଆ ଜୁସ୍, ପଖାଳ କଂସା, ଲେସ୍ ଚାର୍ଟ, ଚିକେନ୍ ବିରିୟାନୀ, କାକରା ପିଠା, କାଜିଆଲୁ ଭଳି ବହୁ ପ୍ରକାର ପାରମ୍ପରିକ ଓ ଆଧୁନିକ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଥିଲେ ।

ସେଗୁଡିକୁ ଅଭିଭାବକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରି ଅତି ଆଗ୍ରହ ସହକାରେ କ୍ରୟ କରି ଖାଦ୍ୟ ଗୁଡିକର ମଜା ଉଠାଇ ଥିଲେ । ଏହାସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା, ସେମାନଙ୍କ ମଧ୍ୟରେ ବିଦ୍ଯାଳୟର ଛାତ୍ରୀ ଅନ୍ବେଷା ଅତି ସୁନ୍ଦର ମେହେନ୍ଦି ପକାଇ ମହିଳା ମାନଙ୍କର ମନୋରଞ୍ଜନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ନାଚ ଓ ଗୀତର ଆସର ଜମି ଥିଲା, ଯାହାକି ଛାତ୍ରଛାତ୍ରୀ ମାନେ ଉପଭୋଗ କରିବା ସହ ବ୍ଯବସାୟିକ କଳାର ମଧ୍ଯ ପ୍ରଶିକ୍ଷଣ ନେଇଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ସୁଶ୍ରୀ ପ୍ରିତିରାଣୀ ମହାପାତ୍ର, ପ୍ରୀତମ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିବା ବେଳେ, ସାଂସ୍କୃତିକ ବିଭାଗର ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ସଫଳ ରୂପାୟନ ହୋଇଥିଲା । ଶେଷରେ ସମ୍ପାଦିକା ଶ୍ରୀମତୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
