ବ୍ରହ୍ମପୁର,୧୫/୭(ଅଭିଜିତ କର): ସ୍ଥାନୀୟ ଗୋଷାଣୀନୂଆଗାଁ ଉତ୍ତରେଶ୍ୱର ମନ୍ଦିର ଛକ ଠାରେ ଜନ ସାଧାରଣଙ୍କ ସୁରକ୍ଷା ତଥା ଆଗାମୀ ରଥଯାତ୍ରା ପର୍ବକୁ ଦୃଷ୍ଟିରେ ରଖି ସୁରୁଖୁରୁରେ ପାଳନ କରିବା ସକାଶେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଲୋକୀକରଣ ଦୁବ୍ୟବସ୍ଥା କରାଯାଇଛି । ଏନେଇ ଆଜି ବ୍ରହ୍ମପୁର ମହାନଗର ନିଗମ ମାନନୀୟ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ଛକ ନିକଟରେ ଏକ “ମିନି ହାଇ ମେକ୍ସ୍ ଲାଇଟ୍” ପୋଲର ଶୁଭ ଉଦଘାଟନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଡେପୁଟି ମେୟର ଈ ବିବେକ ରେଡ୍ଡୀ, ସ୍ଥାନୀୟ ୨୭ ନଂ କର୍ପୋରେଟର ନୀଳକଣ୍ଠ ସାହୁ ଏବଂ ପାର୍ବତୀ ପ୍ରଧାନ ପ୍ରମୁଖ ଉପସ୍ଥିତି ରହି ପାରମ୍ପରିକ ପୂଜା ପରେ ଏହାର ଶୁଭ ଉଦ୍ଘାଟନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମାନନୀୟ ମେୟର ଶ୍ରୀମତୀ ଦଳାଇ କହିଛନ୍ତି ଯେ, ଆସନ୍ତା କାଲି ଠାରୁ ବିଶ୍ଵ ପ୍ରସିଦ୍ଧ ତଥା ଓଡ଼ିଶାର ଗଣ ପର୍ବ ରଥଯାତ୍ରା ବ୍ରହ୍ମପୁରରେ ପାଳନ ହେବାକୁ ଥିବା ବେଳେ, ଏହି ଅଞ୍ଚଳରେ ଆଲୋକିକରଣର ସୁବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଜନ ସାଧାରଣଙ୍କ ନିମନ୍ତେ ଏହି ୬ଷ୍ଠ ଲେନ୍ ବିଶିଷ୍ଟ ମିନି ହାଇ ମେକ୍ସ୍ ଲାଇଟ୍ ପୋଲ ସ୍ଥାପନ ହୋଇଛି ।

ଏହା ପ୍ରାୟ ୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟ ପରିମାଣରେ ନିର୍ମିତ ହୋଇଥିବା ବେଳେ, ଏହା ଜନ ସାଧାରଣଙ୍କ ଯାତାୟାତ ପାଇଁ ସହାୟକ ହେବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୁଳି ବିଭାଗ ଯନ୍ତ୍ରୀ ସୋୟେବ ମହମ୍ମଦ, ମନ୍ଦିର ପରିଚାଳନା କମିଟି ସଭାପତି ପଞ୍ଚାନନ ଚୌଧୁରୀ, ଲିଟୁ ପଣ୍ଡା ଏବଂ କାର୍ତ୍ତିକ ପାଣିଗ୍ରାହୀଙ୍କ ସମେତ ଅଞ୍ଚଳର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ ।
