* ନିଜ ଜୀବନକୁ ହଟାଇ ପୋଲିସ ବିଭାଗକୁ ଗୌରବାନ୍ଵିତ କରିଥିବା ସୁଶାନ୍ତକୁ ଉଚିତ୍ ସମ୍ମାନ ପାଇଁ ଦାବି
ବ୍ରହ୍ମପୁର,୧୯/୭(ଅଭିଜିତ କର): ସ୍ଥାନୀୟ ଆସିକା ରୋଡ଼ ଅନ୍ତର୍ଗତ ବଡ଼ ବଜାର ଥାନା ପରିସରରେ ଥିବା ସହୀଦ ସୁଶାନ୍ତ କୁମାର ଗୌଡଙ୍କ ପ୍ରତିମୂର୍ତ୍ତିରେ ରବିବାର ଦିନ ସହୀଦ ସୁଶାନ୍ତ କୁମାର ଗୌଡ଼ ସ୍ମାରକୀ ଚାରି ଟେବୁଲ ଟ୍ରଷ୍ଟ୍ ତରଫରୁ ୪୩ ତମ ଜନ୍ମ ଜୟନ୍ତୀ ଭକ୍ତିର ସହ ପାଳନ କରାଯାଇଛି। ଏନେଇ ବଡ଼ ବଜାର ଥାନାର ପୋଲିସ ଅଧିକାରୀ, କର୍ମଚାରୀ ଏବଂ ଅଞ୍ଚଳବାସୀ ମାନେ ସୁଶାନ୍ତଙ୍କ ପ୍ରତିମୂର୍ତ୍ତୀରେ ଦୀପ, ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର ବଳିଦାନକୁ ସ୍ମରଣ କରି ସମସ୍ତେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଲ ଯୋଗଦେଇ ସହୀଦ ସୁଶାନ୍ତଙ୍କ ପିତା ନିରଞ୍ଜନ ଗୌଡ଼ଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିବା ସହ ବୀର ପୁତ୍ରକୁ ରାଜ୍ୟର ପାଇଁ ଟେକି ଦେଇଥିବା ନେଇ ଆଭାର ବ୍ୟକ୍ତ କରିଥିଲେ ।
ଟ୍ରଷ୍ଟର ସଭାପତି ସଞ୍ଜୟ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ କିଶୋର ପାତ୍ର, ସଞ୍ଜୀବ ପଟ୍ଟନାୟକ, ଲାବନ୍ୟ ପାତ୍ର, ଗଗନ କୁମାର ପାତ୍ର, କୈଳାଶ ପାଢ଼ୀ, ଜଗନ୍ନାଥ ଜେନା, ଚିତ୍ତରଞ୍ଜନ ସାହୁ, ସୁଶାନ୍ତ ସାହୁ, ବାପି ନାହାକ, ରାକେଶ କୁମାର ସାବତ ମଦନ ସାହୁ, ପିଣ୍ଟୁ ସାହୁ, ପ୍ରମୋଦ ସାହୁ, ତ୍ରିନାଥ ନାୟକ, ଟୁନା ପାତ୍ର, ବୁଡୁ ପାତ୍ର, ଶୁଶାନ୍ତ ରେଡ୍ଡୀ, ଆଲୋକ ସାହୁଙ୍କ ସମେତ ବହୁ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନେତା ରାମ କୁମାର ପାତ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେଉଁ ବୀର ବାହାଦୁର ସୁଶାନ୍ତ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ନିଜ ଅମୂଲ୍ୟ ଜୀବନକୁ ବାଜି ଲଗାଇ ପୋଲିସ ବିଭାଗକୁ ହସ୍ତାନ୍ତର କରିବା ଭଳି ମହତ୍ କାର୍ଯ୍ୟ କରି ବହୁ ବରିଷ୍ଠ ଅଧିକାରୀ ମାନଙ୍କ ଜୀବନକୁ ବଞ୍ଚାଇବା ନେଇ ନିଜ ଜୀବନ ହରାଇ ଦେଇଥିଲା ।
ହେଲେ ଆଜି ସେହି ପୋଲିସ ବିଭାଗକୁ ସହିଦ ସୁଶାନ୍ତଙ୍କ ଜୟନ୍ତୀ ଦିବସ ମଧ୍ୟ ମନେ ରହି ନଥିବା ଭଳି ପରିଲକ୍ଷିତ ହେଉଛି । ଯେଉଁ ବାପା ନିଜ ପୁଅକୁ ବିଭାଗକୁ ଟେକି ଦେଇଥିଲେ ସେଇ ସ୍ବର୍ଗତ ପୁତ୍ରର ବାର୍ଷିକ ଦିବସ ପାଳନ ନେଇ ପ୍ରଚେଷ୍ଟା କରିଥିବା ବେଳେ, ପୋଲିସ ବିଭାଗ ପକ୍ଷରୁ ତାହାକୁ ଆଗଭର ହୋଇ ପାଳନ କରାଯାଉ ନାହିଁ । ଯାହାକୁ କେବଳ ଅଞ୍ଚଳର କିଛି ଯୁବ ଗୋଷ୍ଠୀ, ଯୁବ ନେତା ଓ ଟ୍ରଷ୍ଟ ପକ୍ଷରୁ ପାଳନ କରାଯାଉଛି, ଯାହା ଏକ ଦୁଃଖର ବିଷୟ। ଏଣୁ ଯଦି ପୋଲିସ ବିଭାଗ ପକ୍ଷରୁ ସ୍ବର୍ଗତ ସୁଶାନ୍ତଙ୍କ ଜୟନ୍ତୀକୁ ସ୍ବତନ୍ତ୍ର ରୂପେ ଆଗଭର ହୋଇ ପାଳନ କରାଯିବ ତେବେ ତାହାହିଁ ସୁଶାନ୍ତଙ୍କ ବଳିଦାନ ପ୍ରତି ଉଚିତ୍ ସମ୍ମାନ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।
