• ଶିଶୁମାନେ ନିଜର କ୍ଷମତା ଓ ଆତ୍ମବିଶ୍ୱାସର ଚମତ୍କାର ଉଦାହରଣ – ମେୟର
• ଶିଶୁଙ୍କ ପ୍ରତିଭା, ସମ୍ଭାବନା ଓ ସ୍ୱପ୍ନକୁ ସମ୍ମାନ ଦେବାର ଏକ ସାର୍ଥକ ପ୍ରୟାସ – ସବ୍ୟସାଚୀ
ବ୍ରହ୍ମପୁର,୨୨/୮(ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ସଂସ୍କୃତି ଭବନରେ ଠାରେ ‘ଉତ୍ସବ ୨୦୨୬’ ନାମରେ ଏକ ଭବ୍ୟ ଓ ଭାବପୂର୍ଣ୍ଣ ସାଂସ୍କୃତିକ ସମାରୋହର ପଞ୍ଚମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ “Occkid Pediatric Therapy Centre, Feat Blue School of Autism ଏବଂ Rehab Mantra Clinic”ର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଆବଶ୍ୟକତା ସମ୍ପନ୍ନ ଶିଶୁମାନେ ନିଜର ଅସାଧାରଣ ପ୍ରତିଭାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗଦେଇ ସମାରୋହକୁ ଗୌରବାନ୍ୱିତ କରିଥିବା ବେଳେ, କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର, ସମ୍ମାନିତ ଅତିଥି ଭାବେ କର୍ପୋରେଟର ଶ୍ରୀମତୀ ଡ଼ା ସୋନାଲି ଗନ୍ତାୟତ, ଶ୍ରୀମତୀ ରଞ୍ଜିତା ବେହେରା ଏବଂ ବ୍ରହ୍ମପୁର ମହାନଗର ନିଗମର ଉପ ଆୟୁକ୍ତ ଶ୍ରୀମତୀ କଲ୍ୟାଣି ସଂଘମିତ୍ରା, ବରିଷ୍ଠ ସାମ୍ବାଦିକ ଶ୍ରୀ ଅଶୋକ ବ୍ରହ୍ମା, ଶ୍ରୀ ପ୍ରକାଶ ପଟ୍ଟନାୟକ, ଶ୍ରୀ ଦେବହରି ବେହେରା ଓ ଶ୍ରୀ ସୁଦୀପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

ଏଥିରେ ବିଭିନ୍ନ ନୃତ୍ୟ, ସାଂସ୍କୃତିକ ପରିବେଷଣ ଓ ସୃଜନଶୀଳ ପ୍ରଦର୍ଶନ ମାଧ୍ୟମରେ ଶିଶୁମାନେ ନିଜର କ୍ଷମତା ଓ ଆତ୍ମବିଶ୍ୱାସର ଚମତ୍କାର ଉଦାହରଣ ଦେଇଥିଲେ। ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା “ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରିବା, ସମ୍ମାନ ଦେବା ଏବଂ ସମାଜର ମୁଖ୍ୟସ୍ରୋତରେ ସମାନ ସୁଯୋଗ ପ୍ରଦାନ କରିବା ହିଁ ଲକ୍ଷ୍ୟ ବୋଲି ସଂସ୍ଥାପକ ସଦସ୍ୟ ତଥା ନିର୍ଦ୍ଦେଶିକା ଡା. ସ୍ୱାତୀ ଦାଶ ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହାର ଉଦ୍ଦେଶ୍ୟକୁ ଉପସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ବିଶେଷ ଆବଶ୍ୟକତା ସମ୍ପନ୍ନ ଶିଶୁଙ୍କ ପାଇଁ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ଶିଶୁରୋଗ ବିଶେଷଜ୍ଞ ଡା. ପ୍ରଦୀପ ମଲ୍ଲିକ ଏବଂ ସ୍ନାୟୁରୋଗ ବିଶେଷଜ୍ଞ ଡା. କୁମାର ବିସ୍ମୟ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରି ବହୁ ଉପଯୋଗୀ ଉପଦେଶ ଦେଇଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସେ ମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ସାମାଜିକ କର୍ମୀ ଓ କଳାଞ୍ଜଳି ଆର୍ଟିଷ୍ଟ୍ରି ଟ୍ରଷ୍ଟ ଅଧ୍ୟକ୍ଷା ଶ୍ରୀମତୀ ରମେଶ୍ୱରୀ ନନ୍ଦ ପରିବାର ରାମ୍ପ ଶୋ’ର ବିଚାରକ ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ, Rotary Club of Berhampur ଏବଂ Inner Wheel Club of Berhampur ର ସଦସ୍ୟ ମାନେ ଉପସ୍ଥିତ ରହି ଆୟୋଜକ ଓ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସାଂସ୍କୃତିକ ପର୍ବରେ Rockstar Dance Academy, Prince Dance Academy ଓ Amazing Dance Studio ର ଶିଳ୍ପୀ ମାନଙ୍କ ମନୋରଞ୍ଜନ ଧର୍ମୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।

ସମାରୋହର ଶେଷରେ ସମସ୍ତ ଅତିଥି, ଅଭିଭାବକ, ଶିଶୁ, କଳାକାର, ସହଯୋଗୀ ସଂଗଠନ ଓ ଶୁଭେଚ୍ଛୁ ମାନଙ୍କୁ ସଂସ୍ଥାପକ ସଦସ୍ୟ ତଥା ନିର୍ଦ୍ଦେଶିକା ଡା. ସ୍ୱାତୀ ଦାଶ ଏବଂ ଶ୍ରୀ ସଚ୍ଚିନ୍ଦ୍ର ପ୍ରସାଦ ଦାଶ କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ। ‘ଉତ୍ସବ ୨୦୨୬’ କେବଳ ଏକ ସାଂସ୍କୃତିକ ସମାରୋହ ନୁହେଁ, ବରଂ ବିଶେଷ ଆବଶ୍ୟକତା ସମ୍ପନ୍ନ ପ୍ରତ୍ୟେକ ଶିଶୁଙ୍କ ପ୍ରତିଭା, ସମ୍ଭାବନା ଓ ସ୍ୱପ୍ନକୁ ସମ୍ମାନ ଦେବାର ଏକ ସାର୍ଥକ ପ୍ରୟାସ ଭାବେ ସମସ୍ତଙ୍କ ମନରେ ଏକ ସକାରାତ୍ମକ ବାର୍ତ୍ତା ଛାଡ଼ିଯାଇ ଥିବା ଦେଖିବାକୁ ମିଳିଥିଲା।
