• ଚମତ୍କାର ଜଳପରି ଶୋ ମେଳାର ପ୍ରମୁଖ ଆକର୍ଷଣ
ବ୍ରହ୍ମପୁର,୪/୧୧ (ଅଭିଜିତ କର): ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଦେଶ ବିଦେଶର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ନେଇ ଗତ ୧୫ ବର୍ଷ ଧରି ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ନିଜର କାରୁକାର୍ଯ୍ୟ ପୂର୍ଣ୍ଣ ମେଳାକୁ ପ୍ରତିପାଦନ କରିଥିବା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପୁଣି ଥରେ ତୃତୀୟ ସଂସ୍କରଣ ନେଇ ବ୍ରହ୍ମପୁରରେ ପାଦ ଥାପିଛି । ଗତ ଦୁଇ ବର୍ଷ ଧରି ବ୍ରହ୍ମପୁର ୟୁ.ସି.ପି. ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଥିବା ବ୍ରହ୍ମପୁର ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟର ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଥିବା ନେଇ ଆଜି ଗୁପ୍ତା ଇଭେଣ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ୍ ୫ ତାରିଖ ସନ୍ଧ୍ୟାରୁ ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ଵାରା ଶୁଭାରମ୍ଭ ହେବା ପରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଚଳିତ ବର୍ଷର ପ୍ରଦର୍ଶନୀରେ ଅତ୍ୟାଧୁନିକ ଏସି ପାଭିଲିୟନ୍ ପ୍ରଦର୍ଶିତ ହେବ, ଯାହା ପ୍ରଦର୍ଶକ ଏବଂ ପରିଦର୍ଶକ ଉଭୟଙ୍କ ପାଇଁ ଏକ ଆରାମ ଦାୟକ ଏବଂ ଜଳବାୟୁ ନିୟନ୍ତ୍ରିତ ପରିବେଶ ମଧ୍ୟରେ ରହିବ ।
ଏହି ମେଳାରେ ପ୍ରାୟ ୨୨ଟି ରାଜ୍ୟ ଏବଂ ୧୦ଟି ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରିଥିବା ସହିତ, ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସାରା ବିଶ୍ୱରୁ ପ୍ରାୟ ୧ ଲକ୍ଷରୁ ଅଧିକ ଆନ୍ତର୍ଜାତୀୟ ଏବଂ ଜାତୀୟ ଉତ୍ପାଦ ଅନୁସନ୍ଧାନ କରିବା ପାଇଁ ଏକ ଅସାଧାରଣ ପ୍ଲାଟଫର୍ମ ପ୍ରଦାନ କରିବ। ଯେଉଁଥିରେ କାଶ୍ମୀର ଫର୍ଣ୍ଣିଚର, ସୋଫା ସେଟ୍, ଡାଇନିଂ ସେଟ୍, ଝୁଲା, ଆଫଗାନିସ୍ତାନରୁ ୧୦୦ ପ୍ରକାରର ଶୁଖିଲା ଫଳ, ଇରାନରୁ ଇରାନୀ ଖଜୁର, କାର୍ପେଟ, ଥାଇଲ୍ୟାଣ୍ଡରୁ ଅଳଙ୍କାର, କୋରିଆନ୍ ମହିଳା ମାନଙ୍କ ଆନୁଷଙ୍ଗିକ, ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ, ପ୍ରାଚୀନ ଧାତୁ ଏବଂ ଏଡି ପଥର ଅଳଙ୍କାର, ପ୍ରାଚୀନ ପିତ୍ତଳ ଏବଂ ତମ୍ବା ଉତ୍ପାଦ ସାମଗ୍ରୀ, ଦୁବାଇ ପୋଷାକ, ପ୍ରାଚୀନ ସାଜସଜ୍ଜା କାନ୍ଥ ଫ୍ରେମ୍, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶର ଚମଡ଼ା ସାମଗ୍ରୀ, ସିଙ୍ଗାପୁରରୁ ଉତ୍ପାଦ ଖଦି ଏବଂ କୁରେସିଆନ୍ ଜିନିଷ, ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ବାଂଲାଦେଶ ଏବଂ ସମ୍ବଲପୁରର ପୋଷାକ ଏବଂ ଶାଢ଼ି ଇତ୍ୟାଦି ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଉପଲବ୍ଧ ରହିଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ସେହିପରି ମେଳା ପ୍ରେମୀ ବା ସୁସ୍ୱାଦୁ ଖାଦ୍ୟ ପ୍ରେମୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରକୃତ ଚମ୍ପାରନ୍ ମଟନର ବିଶେଷ ରୂପେ ବିକ୍ରୟର ବ୍ୟବସ୍ଥା ରହିଥିବା ବେଳେ, ପ୍ରଥମ ଥର ପାଇଁ ଏକ ଚମତ୍କାର ଜଳପରି ଶୋ ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରୁ ଅନ୍ୟତମ ହେବ ବୋଲି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁପ୍ତା ଈଭେଣ୍ଟର ମୁଖ୍ୟ ସୁଜିତ କୁମାର ଗୁପ୍ତା ଓ ପାୟଲ ଆଚାର୍ଯ୍ୟ ଗୁପ୍ତା ସୂଚନା ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗୀ ସଂଯୋଜକ ବୀର ବାହାଦୁର ସିଂ ଏଵଂ ଜଳପରିର ପ୍ରବନ୍ଧକ ମହମ୍ମଦ ଇମ୍ରାନ ପ୍ରମୁଖ ଉପସ୍ଥିତ ଥିବା ବେଳେ, ରଶ୍ମିମୟୀ ପଣ୍ଡାଙ୍କ ସମେତ ଅନ୍ୟ ସହଯୋଗୀ ମାନେ ପରିଚାଳନରେ ସହଯୋଗ କରିଥିଲେ। ବ୍ରହ୍ମପୁର ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ତୃତୀୟ ସଂସ୍କରଣ ଆୟୋଜନ କରି ଆମେ ଖୁସି ଅନୁଭବ କରୁଛୁ, ଏଣୁ ବ୍ରହ୍ମପୁର ସହରବାସୀ ଏହି ମେଳାକୁ ପରିଦର୍ଶନ ପାଇଁ ଆସି ନିଜର ମନ ପସନ୍ଦ ସାମଗ୍ରୀ କ୍ରୟ କରନ୍ତୁ ବୋଲି ପରିଚାଳକ ମାନେ ଅନୁରୋଧ କରିଛନ୍ତି ।
