ଭୁବନେଶ୍ୱର/ବ୍ରହ୍ମପୁର,୩।୧୨: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବୁଧବାର ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୀତବାସ ମିଶ୍ର, ଡ. ମୀନ କେତନ ଦାଶ, ଲୋକନାଥ ମିଶ୍ର, କାନନ ବାଳା ନାୟକ, କୁଞ୍ଜ ବିହାରୀ ରାଉତ, ସନ୍ଧ୍ୟାରାଣୀ ପ୍ରଧାନ ଓ ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବହୁ ଶ୍ରେଷ୍ଠ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ସେମାନଙ୍କ ଶ୍ରେଷ୍ଠତ୍ଵ ଓ ସମାଜସେବା ତଥା ବିଭିନ୍ନ ଦିଗରେ ଉଚ୍ଚସ୍ତରୀୟ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ବ୍ରହ୍ମପୁର ସହରର ଜଣେ ବରିଷ୍ଠ ସାମ୍ବାଦିକ ତଥା ଏକ ଧାରାରେ ସୁପରିଚିତ କଣ୍ଠଶିଳ୍ପୀ, ସମାଜସେବୀ ଆଇନଜୀବି ଶ୍ରୀ ସୁଦୀପ କୁମାର ସାହୁଙ୍କୁ ମଧ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ଵାରା ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବୋଷ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ସାହୁ ଉକ୍ତ ମଞ୍ଚରେ ସ୍ବର୍ଗତ ହ୍ୟୁମନ୍ ସାଗରଙ୍କ ବିୟୋଗରେ ସ୍ମୁତି ଚାରଣ ପୂର୍ବକ ଏକ ଭାବ ଭରା ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସୂଚନା ଯୋଗ୍ୟ ଯେ, ସାମ୍ୱାଦିକ ଶ୍ରୀ ସୁଦୀପଙ୍କୁ ଏହା ପୂର୍ବରୁ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ, ହାଇଦ୍ରାବାଦ, କଲିକତା ରାଜ୍ୟ ସମେତ କଟକ, ପୁରୀ, ଭୁବନେଶ୍ଵର ପାରାଦ୍ଵୀପ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁରରୁ ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ତେବେ ପୁଣି ଥରେ ଜାତୀୟ ସ୍ତରରେ ସେ ସମ୍ମାନିତ ହୋଇଥିବାରୁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। (ଅଭିଜିତ କର, ଜିଲ୍ଲା ପ୍ରତିନିଧି)
