ବ୍ରହ୍ମପୁର, ୬/୧୨(ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ସାଇ କମ୍ପ୍ଲେକ୍ସ ପଛ ପଟ ଗଳି ଠାରେ ସ୍ୱାସ୍ଥ୍ୟ ଯତ୍ନ ତଥା ପୁନର୍ବାସ ସେବା ଭିତ୍ତିକ ଏକ ନୂତନ ମଲ୍ଟି ସ୍ପେସିଆଲିଟି ରିହାବିଲିଟେସନ ସେଣ୍ଟର ରିହାବ ମନ୍ତ୍ରାର ଶନିବାର ଭବ୍ୟ ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିବା ବେଳେ, ମୁଖ୍ୟ ଆକର୍ଷଣ ରୂପେ ଲୋକପ୍ରିୟ ଓଡ଼ିଆ ସିନେମା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ବିଶେଷ ଅତିଥି ରୂପେ ଯୋଗଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ମୁଖ୍ୟ ତଥା ଡା. ଶ୍ୱାତି କହିଛନ୍ତି ଯେ, ରିହାବ ମନ୍ତ୍ରାରେ ଫିଜିଓଥେରାପି, ଅକ୍ୟୁପେସନଲ ଥେରାପି, ଅଡିଓଲୋଜି, ସ୍ପିଚ ଥେରାପି, ସାଇକୋଥେରାପି ଆଦି ସେବା ସମସ୍ତ ବୟସର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଯାଇଛି। ନୂତନ ଉପକରଣ ଦ୍ୱାରା ଥେରାପି ପ୍ରଦାନ ତଥା ବୃଦ୍ଧ ବ୍ୟକ୍ତି ମାନଙ୍କ ପାଇଁ ସାମାଜିକ କ୍ଲବ ବ୍ୟବସ୍ଥା ରହିଥିବା ସହ ଆବଶ୍ୟକୀୟ ବ୍ୟକ୍ତିଙ୍କ ପାଇଁ ରିହାବ ମନ୍ତ୍ରା ଏକ ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ ଏବଂ ଆଧୁନିକ ଚାହିଦା ଅନୁଯାୟୀ ସମସ୍ତ ଉପକରଣ ମାନ ଉପଲବ୍ଧ ରହିଛି ବୋଲି କହିଛନ୍ତି । ତେବେ ଅନ୍ୟ ସ୍ଥାନ ଗୁଡ଼ିକରେ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସା ପଦ୍ଧତି ରହିଥିବା ବେଳେ, ଏଠାରେ କିନ୍ତୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ଉତ୍ତମ ମାନର ଚିକିତ୍ସା ପ୍ରଦାନ କରାଯିବ । ସେ ଆହୁରି କହିଛନ୍ତି ଯେ, ଏଠାରେ କାର୍ଯ୍ୟରତ ଥିବା ସମସ୍ତ ଥେରୋପିଅନ ମାନେ ପ୍ରଫେସନାଲ ହୋଇଥବା ସହ ଥେରୋପି ଉପରେ ଅଭିଜ୍ଞ ଅଟନ୍ତି ବୋଲି ସୂଚନା ଦେଇଛନ୍ତି।
ଏନେଇ ଉପସ୍ଥିତ ଅତିଥି ମାନେ ରିହାବ ମନ୍ତ୍ରାର ପ୍ରତିଷ୍ଠାତ୍ରୀ ଡ଼. ଶ୍ୱାତୀ ଦାଶଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇ ସହରବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆଶାବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଚିନ୍ଦ୍ର ପ୍ରସାଦ ଦାଶ ଅତିଥି ମାନଙ୍କୁ ସେଣ୍ଟର ପରିଦର୍ଶନ ସହିତ ଉପକରଣ ଗୁଡିକର ଉପାଦେୟତା ବିଷୟରେ ଜଣାଇଥିବା ବେଳେ, ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଓ ଇନର ୱିଲ କ୍ଲବର ବହୁ ସଦସ୍ୟ ଗଣ ଯୋଗଦାନ କରି ଡ. ଶ୍ୱାତୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
