• ସ୍ୱର ଉତ୍ତୋଳନ ଓ ଲଢେଇ ଜାରି ରହିବ – ରଶ୍ମି ରଞ୍ଜନ
ବ୍ରହ୍ମପୁର, ୧୯/୧୨ (ଅଭିଜିତ କର): ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଡିସିସି ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ଅନ୍ୟୁନ ୨୦୦ ଜଣ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ଜିଲ୍ଲା କାର୍ଯ୍ୟାଳୟରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ଅଞ୍ଚଳରେ ବିକ୍ଷୋଭ ପରିକ୍ରମା କରି କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ଓ ଶାହାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ । ଏଆଇସିସି ପକ୍ଷରୁ ସଂଗଠନ ସଂପାଦକ ଶ୍ରୀ କେ.ସି. ଭେନୁ ଗୋପାଲଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନକୁ ନେଇ ଡିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ ଆମ ଦଳର ସର୍ବୋଚ୍ଚ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧି ଓ ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧିଙ୍କୁ ଗତ ୧୨ ବର୍ଷ କାଳ ଯନ୍ତ୍ରଣା ଦେବା ବିରୋଧରେ କ୍ରମାଗତ ସ୍ୱର ଉତ୍ତୋଳନ କରିବା ଆମ ସମସ୍ତଙ୍କର କର୍ଭବ୍ୟ। ଏଣୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ବେଳେ, ଏହାର ଦୁଇ ମୁଖ୍ୟ ଷଯନ୍ତ୍ରକାରୀ ମୋଦୀ-ଶାହାଙ୍କ ବିରୋଧରେ ଆଜି କୁଶପୁତ୍ତଳିକା ଦାହ କରାଯାଇଥିବା ସହ ଏହିଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ଯ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଶୋକ ପଟ୍ଟନାୟକ, ବୃନ୍ଦାବନ ଖଟେଇ, ରାଜେନ୍ଦ୍ର ଦାସ, ଯୁବ ନେତା ବିକାଶ ନାୟକ, ଆତିସ ଦଳାଇ, କିଶୋର କପୂର୍, ଦେବବ୍ରତ ପାଢ଼ୀ ପ୍ରମୁଖଙ୍କ ସହ ବହୁ ଯୁବ ଓ ଛାତ୍ର କଂଗ୍ରେସ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।
