• ବହୁ ମାତ୍ରାରେ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଧାୟକଙ୍କ ଆହ୍ବାନ
ବ୍ରହ୍ମପୁର, ୨୦/୧୨ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଶନିବାର ସନ୍ଧ୍ୟାରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ ଆୟୋଜକ କମିଟିର ଅଧ୍ୟକ୍ଷ ଶ୍ରୀ କେ ଅନିଲ କୁମାର, ସମ୍ପାଦକ ପ୍ରଦୀପ ନାୟକ, କାର୍ଯ୍ୟକାରି ସଭାପତି ପାର୍ଥ ପାଢୀ, ସଦସ୍ୟ ଶିବ ପ୍ରସାଦ ଦାସ, ଉପଦେଷ୍ଟା ରାଜୁ ରେଡ୍ଡୀ, ବିଧାୟକଙ୍କ ମିଡିଆ ସଂଯୋଜିକା ସ୍ମିତାଲି ସ୍ମୃତି ସ୍ନିଗ୍ଧା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତିରେ ଦ୍ବିତୀୟ T20 କ୍ରିକେଟ ଦିବା ଓ ରାତ୍ରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଏକ ସର୍ବଭାରତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହେଇଥିବା ବେଳେ, ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ରୀଡା ମନୋଭାବ, ଯୁବ ସଂଲଗ୍ନତା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ନେଇ ଏହି ବର୍ଷର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ବିଧାୟକ କହିଥିଲେ ।
ସେହିପରି ସମ୍ପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି ଯେ, ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଦଳ ଭାଗ ନେବାକୁ ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୨ଟି ଦଳ ମଧ୍ୟରୁ ରାଜ୍ଯ ଭିତରୁ ୧୦ଟି ଦଳ ଓ ରାଜ୍ଯ ବାହାରୁ ୨ଟି ଦଳ ଯଥା ପଶ୍ଚିମବଙ୍ଗ ଏବଂ ଛତ୍ତିଶଗଡ଼ରୁ ୧ଟି ଲେଖାଏଁ ଦଳ ଆମକୁ ଖେଳିବା ପାଇଁ ସହମତି ଜଣାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବହୁ ରଞ୍ଜି ଓ ଆଇପିଏଲ୍ ଖେଳାଳି ମାନେ ଅଂଶ ଗ୍ରହଣ କରିବା ସହ ୧୧ଟି ମ୍ୟାଚ ଅନୁଷ୍ଠିତ ହେବ, ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ଟ୍ରଫି ସହ ଏକଲକ୍ଷ ଟଙ୍କା ଅର୍ଥ ରାଶି ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ପଚାଶ ହଜାର ଟଙ୍କା ଅର୍ଥରାଶି ସହ ପ୍ରତିଦିନ ମ୍ୟାନ ଅଫ ଦ ମ୍ୟାଚ ଏବଂ ଅନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଆକର୍ଷଣ ରୂପେ ପ୍ରଥମ ଥର ପାଇଁ ଡି ଆର୍ ଏସ୍ ଆୟୋଜନ କରିଥିବା ବେଳେ, କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ଯୋଗଦେଇ ସାଫଲ୍ୟ ମଣ୍ଡିତ କରନ୍ତୁ ବୋଲି ମାନ୍ୟବର ବିଧାୟକ ଶ୍ରୀ ଅନିଲ ଅନୁରୋଧ କରିଛନ୍ତି ।
