ବ୍ରହ୍ମପୁର,୨୮/୧ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭିକ୍ଟରି ଏକାଡେମୀ ଅଫ୍ ମାର୍ସିଆଲ୍ ଆର୍ଟସ୍ ର ଖେଳାଳି ମାନଙ୍କୁ ମାନ୍ୟବର ବିଧାୟକ କେ. ଅନିଲ କୁମାରଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ସୂଚନା ଅନୁସାରେ ଗତ ୧୮-୧-୨୦୨୬ ଠାରୁ ୨୩-୧-୨୦୨୬ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ତାଇକୋଣ୍ଡ ଦ୍ବାରା ରାଜସ୍ଥାନର ଜୟପୁରରେ ଏସଏମଏସ ଷ୍ଟାଡିୟମରେ ଦ୍ୱିତୀୟ ଫେଡରେସନ୍ କପ୍ – ୨୦୨୬ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଖେଳାଳି ମାନେ ଯୋଗଦାନ କରି ଅଂଶ ଗ୍ରହଣ କରିଥିବା ବେଳେ, ଓଡିଶାରୁ ୭୦ରୁ ଉର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେଥି ବ୍ରହ୍ମପୁରର ଭିକ୍ଟରି ଅଫ୍ ମାର୍ସିଆଲ୍ ଆର୍ଟସ୍ ଏକାଡେମୀରୁ ଗଞ୍ଜାମ ତାଇକୋଣ୍ଡ ସଭାପତି ସୁଜିତ୍ କୁମାର ମିଶ୍ର, ଇଣ୍ଟରନେସନାଲ କୋଚ୍ ସରୋଜ ବଡମୁଣ୍ଡି, ଜାତୀୟ ସ୍ତରୀୟ କୋଚ୍ ବ.ସତିଶ କୁମାର ରାଓ, କୈବଲ୍ୟ ବଡମୁଣ୍ଡି, କିରଣ ନାୟକଙ୍କ ନେତୃତ୍ବରେ ୨୦ଜଣ ଖେଳାଳି ୩ଟି ଖେଳରେ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୯ ଜଣ ଖେଳାଳି ମୋଟ ୨୩ଟି ପଦକ ହାସଲ କରିଥିବା ବେଳେ, ଯେଉଁଥୁରୁ ୫ଟି ସ୍ବର୍ଣ୍ଣ, ୬ଟି ରୌପ୍ୟ ଓ ୧୨ଟି କାଂସ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଏକାଡେମୀ ପକ୍ଷରୁ କୁହାଯାଇଛି ।
