ବ୍ରହ୍ମପୁର,୧/୬(ଅଭିଜିତ କର): ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ ତଥା ବିଏଲ୍ଓ କର୍ମଚାରୀ ମାନେ ନିଜ ଦାୟିତ୍ୱ ନିଷ୍ଠା ଓ ସମର୍ପଣର ସହ ପାଳନ କରୁଥିବା ବେଳେ, ସେମାନଙ୍କ ପରିଶ୍ରମ ପ୍ରତି ସମ୍ମାନ ଜଣାଇ ସେମାନଙ୍କୁ ଖରା ଦାଉରୁ ନିଜକୁ ରକ୍ଷା କରି ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର କୁମାର ସାହୁ । ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ “ଏସ୍ଆଇଆର୍- ୨୦୨୬” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ, ଜୁନ୍ ୨୮ ପର୍ଯ୍ୟନ୍ତ ପରିଗଣନା ଫର୍ମ ବଣ୍ଟନ ଓ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିବ। ଏନେଇ ୱାର୍ଡ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବୁଥ୍ ସ୍ତରୀୟ ଅଧିକାରୀ ତଥା ବିଏଲ୍ଓ ମାନେ ଘରକୁ ଘର ବୁଲି ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରିବା ସହ ନୂତନ ଯୋଗ୍ୟ ମତଦାତାଙ୍କୁ ତାଲିକା ଭୁକ୍ତ କରିବେ ।

ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଏକ ତ୍ରୁଟି ମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତିରେ ନିରନ୍ତର ନିୟୋଜିତ ଅଛନ୍ତି। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଗୋସାଣୀନୂଆଗାଁ ଅଞ୍ଚଳର ୱାର୍ଡ ନମ୍ବର ୨୬ର ବିଶିଷ୍ଟ ସମାଜସେବୀ ତଥା ବିଜେପି ୱାର୍ଡ ସଭାପତି ଶ୍ରୀ ସାହୁ ସମସ୍ତ ବିଏଲ୍ଓ ମାନଙ୍କୁ ନିଜସ୍ଵ ଉଦ୍ୟମରେ ଛତା ପ୍ରଦାନ କରିଥିଲେ। ଏଥିସହ ଅଞ୍ଚଳର କିଛି ଅସହାୟ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ମଧ୍ୟ ଛତା ବଣ୍ଟନ କରିଛନ୍ତି । ତେବେ ଶ୍ରୀ ସାହୁଙ୍କ ଏହି ଉଦ୍ୟମ କେବଳ ସହାୟତା ପ୍ରଦାନରେ ସୀମିତ ନ ରହି ମାନବିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଏବଂ ସେବାଭାବର ଏକ ଉଜ୍ଜ୍ୱଳ ନିଦର୍ଶନ ସୃଷ୍ଟି କରିଛି। ସମାଜରେ ସେବା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଏହି ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ମଧ୍ୟ ପ୍ରେରଣା ଦାୟକ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରୀ ସାହୁଙ୍କ ଏହି ସହଯୋଗ ପାଇଁ ବିଏଲ୍ଓଙ୍କ ସମେତ ଅନ୍ୟ ମାନେ ସାଧୁବାଦ ଜଣାଇଛନ୍ତି ।
