• ସ୍ଵେଚ୍ଛାକୃତ ରୂପେ ୩୨୫ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗୃହୀତ
ବ୍ରହ୍ମପୁର,୫/୬(ଅଭିଜିତ କର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ବାଘ ବୋଲି କୁହାଯାଉଥିବା ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବଉଳଝୋଳୀ ଗ୍ରାମ ସ୍ଥିତ ଫାର୍ମ ହାଉସ ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜନପ୍ରିୟ ନେତା ଶ୍ରୀ ଜେନାଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଅପରାହ୍ନରେ ଶୁଭାରମ୍ଭ ହୋଇଥିବା, ଏହି ଶିବିରକୁ ଅତିଥି ରୂପେ ବିଧାୟକ ଶ୍ରୀ ଜେନାଙ୍କ ପୂଜ୍ୟ ପିତା ଶ୍ରୀ ଅରକ୍ଷିତ ଜେନାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ମାନ୍ୟବର ବିଧାୟକ ଶ୍ରୀ ଜେନାଙ୍କ ଆହ୍ବାନ କ୍ରମେ ନିର୍ବାଚନ ମଣ୍ଡଳୀରୁ ବହୁ ମାତ୍ରାରେ ଯୁବ, ଛାତ୍ର, ମହିଳା ଓ ଯୁବତୀ ମାନେ ଏହି ଶିବିରରେ ଅଂଶଗ୍ରହଣ କରି ସ୍ଵେଚ୍ଛାକୃତ ରୂପେ ରକ୍ତଦାନ କରିଥିଲେ । ଏହି ଅବସରରେ ଶ୍ରୀ ଜେନାଙ୍କ ରକ୍ତଦାତାଙ୍କୁ ଉତ୍ସାହିତ କରିବା ନେଇ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଅନ୍ୱେଷଣ କରି ବକ୍ତବ୍ୟ ରଖିଥିଲେ ଯେ, “ରକ୍ତଦାନ ମହାନ ଦାନ, ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ କାହାର ଜୀବନ ବଞ୍ଚାଇ ପାରେ” ଏଣୁ ସମସ୍ତେ ରକ୍ତଦାନ କରିବା ଅତ୍ୟାବଶ୍ୟକ ବୋଲି ଯୁବପିଢୀ ମାନଙ୍କୁ ଆହ୍ବାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଥିବା ବେଳେ, ବ୍ରହ୍ମପୁର ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତ ସଂକଟ ଦେଖିବାକୁ ମିଳିଛି । ଏହି ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଏହି ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଇଛି । “ଗୋଟିଏ ୟୁନିଟ୍ ରକ୍ତ, କାହାର ଜୀବନ ବଞ୍ଚାଇ ପାରିବ”, ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିବା ଏହା ହିଁ ଥିଲା ଆଜିର ରକ୍ତଦାନ କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ବୋଲି କହିଥିଲେ। ତେବେ ସୂଚନା ଅନୁସାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୩୨୫ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା କୁହାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବରିଷ୍ଠ ନେତା ଶମ୍ଭୁନାଥ ପାଣିଗ୍ରାହୀ, ଭଞ୍ଜନଗର ସମାଜସେବୀ କୁଲୁ ଭୂୟାଁ, ଲକ୍ଷ୍ମୀକାନ୍ତ ପ୍ରଧାନ, ପିଣ୍ଟୁ ଜେନା, ବିକାଶ ପଶୁପାଳକ, ଦେବାଶିଷ ମହାନ୍ତି, ଚିନ୍ମୟ, ଅନୁରାଗ, ଅସିତ୍, ବୁଲୁ, ରୋହିତଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ବହୁ ଶୁଭେଚ୍ଛୁ ଓ ସମର୍ଥକ ମାନେ ଯୋଗଦାନ କରି ରକ୍ତଦାନ କରିଥିଲେ। ଉକ୍ତ ଶିବିର କାର୍ଯ୍ୟକ୍ରମ ଯୁବ କୃଷକ ନେତା ଶିବରାମ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିବା ବେଳେ, ଅବନୀ ଶତପଥି, ରୁଦ୍ରମଣୀ ବିଶ୍ଵାଳଙ୍କ ସମେତ ବହୁ ଯୁବ ନେତା ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।
