• ୫ ଦିନ ବ୍ୟାପୀ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଯୁବପିଢୀଙ୍କୁ ଆହ୍ବାନ
ବ୍ରହ୍ମପୁର,୬/୬(ଅଭିଜିତ କର): ସ୍ଥାନୀୟ ଅଶୋକ ନଗର ଷଷ୍ଠ ଗଳି ସ୍ଥିତ ଶିଶୁ ପଡ଼ିଆ ଠାରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟା ସମୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଯୁବ ନେତା ଏ. ସନ୍ତୋଷ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ହେଉଥିବା ଏହି ରକ୍ତଦାନ ଶିବିର ଆଜିଠାରୁ ଆରମ୍ଭ ହୋଇ ଦୀର୍ଘ ୫ ଦିନ ଧରି ପ୍ରତ୍ୟେକ ଦିନର ସନ୍ଧ୍ୟା ସମୟରେ ଚାଲି ରହିବାକୁ ଥିବା ବେଳେ, ଏମକେସିଜି ମେଡିକାଲର ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଭାମ୍ୟମାଣ ରକ୍ତ ସଂଗୃହିତ ଯାନ ଦ୍ଵାରା ଏହି ରକ୍ତ ସଂଗୃହିତ କାର୍ଯ୍ୟ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଏହି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ବ୍ଲଡ ବ୍ୟାଙ୍କରେ ବ୍ଲଡ ସ୍ତର କମ୍ ରହିଛି ଏବଂ ଅସହାୟ ନିରୀହ ରୋଗୀ ଏବଂ ଥାଲାସେମିଆ ରୋଗରେ ପୀଡିତ ମାନେ ଠିକ୍ ସମୟରେ ବ୍ଲଡ ପାଇ ପାରୁ ନଥିବା ଦେଖି ଆମ୍ଭ ଅଶୋକ ନଗର ଯୁବ ଗୋଷ୍ଠି ବା “ସନ୍ତୁ ଆନ୍ନା ସୋଶିଆଲ ୱାର୍କର୍ସ ଗ୍ରୁପ୍” ତରଫରୁ ଅଶୋକ ନଗରରେ ମୋବାଇଲ୍ ଭ୍ୟାନ୍ ଦ୍ୱାରା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ଅପରାହ୍ନ ୩ ଟା ଠାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବ୍ଲଡ କ୍ୟାମ୍ପ ଜାରି ରହିବ।
ଏଣୁ ଯେଉଁ ଭାଇ ଓ ଭଉଣୀ ମାନେ ରକ୍ତଦାନ କରି ଆଉ ଜଣଙ୍କ ମୁହଁରେ ହସ ଫୁଟେଇବା ପାଇଁ ଚାହୁଛନ୍ତି ଆମକୁ ଯୋଗାଯୋଗ କରି ରକ୍ତଦାନ କରି ପାରିବେ ବୋଲି ଯୁବ ନେତା ଶ୍ରୀ ପାତ୍ର ଆହ୍ବାନ ଦେଇଛନ୍ତି । ଏହି ମହତ୍ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରି ସଫଳ କରିବା ପାଇଁ ସହଯୋଗ କରନ୍ତୁ ବୋଲି ସହଯୋଗୀ ସଦସ୍ୟ ବିକ୍ରମ ଜେନା ନିବେଦନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି ଶିବିରରେ ଶିବ ଶଙ୍କର ପାଢ଼ୀ, ଅମୃତ ରାଜ୍, କିରଣ ସାହୁ, ପି ସତ୍ୟ ନାରାୟଣ, ବିକାଶ, ସ୍ଵାଧୀନ ରାଜ୍, ଆଦିତ୍ୟ ପଟ୍ଟନାୟକ, ସୁରଜ୍ ମହାରଣା, ସୁଦର୍ଶନ ନାୟକ, ମଧୁସୂଦନ ଆଚାରୀ, ଶିବରାମ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ, ସେହିପରି ବ୍ଲଡ ବ୍ୟାଙ୍କ୍ ପକ୍ଷରୁ ଡ଼ା. ଅଭିନାସ ରଥ ଟିମ୍ ରେ ରାମହରି ପଣ୍ଡା, ପ୍ରଦୀପ ସୁବୁଦ୍ଧି, ସୁଶାନ୍ତ ପାଣିଗ୍ରାହୀ, ଅନୁରାଧା ମାଝି, ଗୋପାଳ କୃଷ୍ଣ ବରାଳ ପ୍ରମୁଖ ରକ୍ତ ସଂଗୃହିତ କାର୍ଯ୍ୟରେ ନିୟୋଜିତ ଥିଲେ । ଏନେଇ ରକ୍ତଦାତା ମାନେ ମଧ୍ୟ ଯୁବ ନେତା ଶ୍ରୀ ପାତ୍ରଙ୍କ ଆହ୍ବାନ କ୍ରମେ ରକ୍ତଦାନ କରି ଖୁସିବ୍ୟକ୍ତ କରିଛନ୍ତି । ତେବେ ଦୈନିକ ୩୦ଟି ରକ୍ତ ସଂଗୃହିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।
