• କର୍ପୋରେଟରଙ୍କ ଦୀର୍ଘ ମାସର ଦାବି ପରେ ଅର୍ଦ୍ଧନିର୍ମିତ କାର୍ଯ୍ୟର ସମୀକ୍ଷା
ବ୍ରହ୍ମପୁର,୩/୫(ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୬’ ଶ୍ରୀରାମ ନଗର ଅଞ୍ଚଳର ବହୁ ଅର୍ଦ୍ଧ ନିର୍ମାଣ ତଥା ବିଭିନ୍ନ କାରଣ ବଶତଃ ବନ୍ଦ ହୋଇ ରହିଯାଇଥିବା ବିଭିନ୍ନ ସ୍ଥାନରେ ଆଜି ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ଏ ଶସ୍ୟ ରେଡ୍ଡୀ । ୱାର୍ଡ କର୍ପୋରେଟର ଶ୍ରୀମତୀ ଶ୍ୱେତରେଖା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଏହି ପରିଦର୍ଶନରେ ମାନନୀୟ କମିଶନର ଶ୍ରୀରାମ ନଗର ଅଞ୍ଚଳର ଶ୍ମଶାନ କାମର ଅଗ୍ରଗତି କାର୍ଯ୍ୟକୁ ନେଇ ନିରୀକ୍ଷଣ କରିଥିବା ସହିତ ଶାନ୍ତି ମାର୍ଗ ବନ୍ଧ ସଫେଇ କାର୍ଯ୍ୟର ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। ସେହିପରି ସମ୍ପୃକ୍ତ କାର୍ଯ୍ୟ ଗୁଡ଼ିକର ଗୁଣତ୍ୱ, ଗତି ଓ ସୁଦ୍ଧତା ନେଇ ସ୍ଥାନୀୟ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି କେତେକ ମୁଖ୍ୟ ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ଯେଉଁଠାରେ କିଛି ଅସୁବିଧା ଓ ଅପର୍ଯ୍ୟାପ୍ତତା ଦେଖା ଯାଇଥିଲା, ସେ ଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ସମ୍ପର୍କିତ ବିଭାଗ ଓ ଅଧିକାରୀ ମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଥିଲେ। ସେହିପରି ୱାର୍ଡରେ ଡମ୍ପିଂ ପଏଣ୍ଟର ବ୍ୟବସ୍ଥାପନା, ଗାର୍ବେଜ୍ କଲେକ୍ସନ ଓ ସଫାଇ ବ୍ୟବସ୍ଥାକୁ ଆହୁରି ସୁଧାର କରିବା ପାଇଁ ବିଶେଷ ଆଲୋଚନା ହୋଇଥିବା ସହ ଆଗାମୀ କାର୍ଯ୍ୟ ଯୋଜନା ପାଇଁ ସ୍ପଷ୍ଟ ଡିରେକ୍ସନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କର୍ପୋରେଟର ଶ୍ରୀମତୀ ତ୍ରିପାଠୀ ଆଶା ପ୍ରକଟ କରି କହିଛନ୍ତି ଯେ, ମାନନୀୟ କମିଶନର ଏବଂ ବିଭାଗୀୟ ଅଧିକାରୀ ମାନଙ୍କର ଏହି ପରିଦର୍ଶନ ତଥା ସମୀକ୍ଷା ଦ୍ୱାରା ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟକୁ ଆହୁରି ଗତି ମିଳିବ, ଯାହା ଦ୍ଵାରା ସେ ନିର୍ବାଚନ ସମୟରେ ୱାର୍ଡ ବାସିନ୍ଦାଙ୍କୁ ଦେଇଥିବା ବିକାଶର ପ୍ରତିଶ୍ରୁତି କିଭଳି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମ୍ପନ୍ନ ହୋଇପାରିବ ଏନେଇ ଆଶା ପ୍ରକଟ କରିଥିଲେ ।
ଏହି ଅବସରରେ ସେ ଏହି ପରିଦର୍ଶନ ପାଇଁ କମିଶନର ମହୋଦୟାଙ୍କୁ ହୃଦୟଙ୍ଗମ ଧନ୍ୟବାଦ ଜଣାଇଥିବ ସହ ଯେଉଁ ମୂଲ୍ୟବାନ ସମୟ ଦେଇ ଏହି ଅଞ୍ଚଳର ସମସ୍ୟା ଗୁଡ଼ିକୁ ନିକଟରୁ ବୁଝି ସମାଧାନ ପାଇଁ ଉଚିତ ପଦକ୍ଷେପ ନେଇଛନ୍ତି ତାହା ପୂରଣ ହେଲେ ୱାର୍ଡ ବାସିନ୍ଦା ଉପକୃତ ହେବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସମୀକ୍ଷା ସମୟରେ ନିଗମ ଏଇ ନାଗେଶ୍ଵର ସୁବୁଦ୍ଧି, ଜେ.ଇ. ସିଟି ଇଞ୍ଜିନିୟର ଏବଂ ସ୍ୱଚ୍ଛତା ବିଭାଗର ଟିମ୍ ସହିତ ଅନ୍ୟାନ୍ୟ ଅଧିକାରୀଙ୍କ ସମତେ ଅଞ୍ଚଳ ବାସିନ୍ଦା ତଥା ଆଇନଜୀବୀ ସତ୍ୟ ନାରାୟଣ ତ୍ରିପାଠୀଙ୍କ ସମେତ ଅନ୍ୟ ବାସିନ୍ଦା ମାନେ ମଧ୍ୟ ଉପସ୍ଥିତ ଥିଲେ। (ମନ୍ଥନ, ଜିଲ୍ଲା ପ୍ରତିନିଧି)
