• ହିରୋ, ହିରୋଇନଙ୍କ ପାଇଁ ରୁକ୍ମଣୀ ହଲରେ ଫ୍ୟାନ୍ସଙ୍କ ଜନ ସମୁଦ୍ର
• ଆଗକୁ ଖୁବ୍ ଶୀଘ୍ର ଆଉ ଏକ ଫିଲ୍ମ ଭେଟି ହେବ – ଅର୍ଦ୍ଧେନ୍ଦୁ
ବ୍ରହ୍ମପୁର,୧୪/୬(ଅଭିଜିତ କର): ଆଜି ଉତ୍ସବର ପର୍ବ ପହିଲି ରଜ ପର୍ବ ଅବସରରେ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ତରଫରୁ ଚଳିତ ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ଆଜି ବ୍ରହ୍ମପୁର ରୁକ୍ମଣୀ ହଲରେ ପ୍ରଥମ ସ୍ପେଶିଆଲ ପ୍ରୀମୀୟର୍ ଶୋ ପ୍ରଦର୍ଶିତ ହୋଇଛି। ଏନେଇ ଆଜି ଡାଏରୀ ଫିଲ୍ମର ମୁଖ୍ୟ ନାୟକ ଏବଂ ନାୟିକାଙ୍କ ଟିମ୍ ବ୍ରହ୍ଣପୁର ସହରରେ ପହଞ୍ଚିଥିଲେ । ରିଅଲ ଷ୍ଟାର ଅର୍ଦ୍ଧେନ୍ଦୁଙ୍କୁ ଦେଖିବାକୁ ରୁକ୍ମଣୀ ହଲରେ ଦର୍ଶକଙ୍କ ଉତ୍ସାହ ଏତେ ବେଶୀ ଥିଲା ଯେ, ସହରର ରାସ୍ତା ଜନ ସମୁଦ୍ର ପାଲଟି ଯାଇଥିଲା । ଅର୍ଦ୍ଧେନ୍ଦୁଙ୍କ ନିଜ ମାଟି ଗଞ୍ଜାମ ହୋଇଥିବାରୁ ଗଞ୍ଜାମବାସୀ ଦର୍ଶକଙ୍କର ଆଗ୍ରହ ଯଥେଷ୍ଟ ଅଧିକ ରହିଥିବା ପରିଲକ୍ଷିତ ହୋଇଥିଲା । ତେବେ ସିନେମାର ମୁଖ୍ୟ ନାୟକ ଏବଂ ନାୟିକାଙ୍କ ସହ ଟିମ୍ ର ଆଗମନ ସମୟରେ ରୁକ୍ମଣୀ ସିନେମା ହଲ ମୁଖ୍ୟ ଫାଟକ ଠାରେ ଫ୍ୟାନ୍ସଙ୍କ ପ୍ରବଳ ଆତସବାଜି ସହ ଫୁଲ ବର୍ଷ କରାଯାଇଥିବା ବେଳେ, ବ୍ୟାନର ପୋଷ୍ଟରରେ କ୍ଷୀର ଢାଳି ସ୍ଵାଗତ ଜଣାଇ ଥିଲେ ।

ଏହି ପରିପ୍ରେକ୍ଷୀରେ ଅର୍ଦ୍ଧେନ୍ଦୁଙ୍କର ଆଗମନ ସମୟରେ ଫ୍ୟାନ୍ସଙ୍କ କ୍ରେଜ୍ ରୁ ସ୍ପଷ୍ଟ ଜଣାପଡୁଥିଲା ଯେ, ନିଶ୍ଚିତ ଭାବେ ରଜ ବଜାର ପାଇଁ ଏହି ସିନେମା ଏକ ଶୁଭ ସଙ୍କେତ ଦେଇଛି। ସବୁ ବେଳେ ଆକ୍ସନ୍, ରୋମାନ୍ସ ଓ ଫ୍ୟାମିଲି ଡ୍ରାମାକୁ ନେଇ ପରଦାକୁ ଆସୁଥିବା ନାୟକ ତଥା ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଏଥର ଦର୍ଶକଙ୍କ ପାଇଁ ଏକ ନିଆରା ‘ତ୍ରିକୋଣୀୟ ପ୍ରେମ କାହାଣୀ’ ନେଇ ଆସିଛନ୍ତି। ତାଙ୍କ ସହ ନାୟିକା ଭୂମିକାରେ ଅଭିଜ୍ଞ ଜସ୍ମିନ ରଥ ଏବଂ ନବାଗତା ପ୍ରଜ୍ଞା ମିଶ୍ର ରହିଥିବା ବେଳେ, ସିନେ ତାରକା ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ମାନେ ହିଟ୍ ଗୀତର ଗ୍ୟାରେଣ୍ଟି ରହିଥିବା ସିନେ ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି। ତେବେ ପ୍ରକାଶ ଥାଉ କି, ପୂର୍ବରୁ ‘ବ୍ଲାକମେଲ୍’ ସିନେମାର ‘ରଙ୍ଗୋଲି’ ହେଉ କିମ୍ବା ‘ପରଦେଶୀ ଚଢ଼େଇ’ର ‘ତୋଫା ଚାନ୍ଦିନୀ’ ସେହି ଗୀତର ଯାଦୁ ଆଜି ବି ଦର୍ଶକଙ୍କ ହୃଦୟରେ ଉଦ୍ଜିବିତ ରହିଛି।

ଏଥର ମଧ୍ୟ ସୋମେଶ ଶତପଥୀଙ୍କ ସୁମଧୁର ସଙ୍ଗୀତ ନିଶ୍ଚିତ ହୃଦୟ ଛୁଇଁବା ସହ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍ଙ୍କ କୋରିଓଗ୍ରାଫି ଗୀତ ଗୁଡ଼ିକୁ ଦୃଶ୍ୟମାନ କରିବାରେ ବେଶ୍ ସହାୟକ ହୋଇଛି।ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ସହଯୋଗରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣି, ବରିଷ୍ଠ ଲେଖକ କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ ଓ ସଂଳାପ ସାଙ୍ଗକୁ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ଏକ ଅଭିନବ ଅନୁଭୂତି ଦେବ। ପ୍ରଣୟ ଜେଠୀଙ୍କ ସଫଳ ପ୍ରଚାର ପ୍ରସାର ଦାୟିତ୍ୱ ଫିଲ୍ମକୁ ଆହୁରି ଲୋକାଭିମୁଖୀ କରୁଛି ବୋଲି ପ୍ରଯୋଜକ ତଥା ମୁଖ୍ୟ ନାୟକ ଅଭିନେତା ଶ୍ରୀ ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟା ରଖିଛନ୍ତି। ସୂଚନା ଯୋଗ୍ୟ ଯେ, ଆମରା ମ୍ୟୁଜିକ୍ (Amara Muzik) ଏହାର ଅଡିଓ ପାର୍ଟନର ଥିବା ବେଳେ ‘ଆଓ ଏନକ୍ସଟ’ (AAO NXT) ଓଟିଟି ପାର୍ଟନର ରହିଛି। ସବୁ ଦୃଷ୍ଟିକୋଣରୁ ବିଚାର କଲେ ରଜ ବଜାରରେ ‘ଡାଏରୀ’ ଦର୍ଶକଙ୍କୁ ବାନ୍ଧି ରଖିବାରେ ନିଶ୍ଚୟ ସଫଳ ହେବ ବୋଲି ସିନେମାର ଦୁଇ ସୁନ୍ଦରୀ ବା ନାୟିକା ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।
